
ଚଳିତ ବର୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଆବଶ୍ୟକ ଥିବା ୨୦,୦୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ସହ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭,୫୪୦ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ଜରିଆରେ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି। ସେହିଭଳି ୬୯୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ୨୦୬୪ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଏସ୍ଏସ୍ବି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ସରକାରୀ ହାଇସ୍କୁଲରେ ୯୨ଟି ପ୍ରଧାନଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ୍ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି।
ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଷୟରେ ୩୩୫ ପିଜିଟି ପଦବୀ ପୂରଣ ନିମନ୍ତେ ଓପିଏସ୍ସି ଜରିଆରେ ଚୟନ କରାଯାଇ ୩୨୭ ପିଜିଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ୧୦୦୮ ପିଜିଟି ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି। ଏତଦ୍ବ୍ୟତୀତ ୨୨୬ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ୧୫୪୩ ପିଜିଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଉକ୍ତ ପଦବୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୫୫ ପଦବୀ ପୂରଣ ନିମନ୍ତେ ଏସ୍ଏସ୍ବି ମାଧ୍ୟମରେ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।