
ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଏବଂ କ୍ଲବ୍ କାର୍ଯ୍ୟକ୍ରମଗୁଡ଼ିକ ଏହି ପାଭିଲିୟନ୍ରେ ପ୍ରଦର୍ଶିତ ହେବ। ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଧୀନରେ ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ଛାତ୍ରୀଛାତ୍ର, ଶିକ୍ଷକ ଓ ଦର୍ଶକମାନେ ଦେଖିପାରିବେ। ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରୀଛାତ୍ରଙ୍କୁ ଉଦ୍ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ। ଏହା ବ୍ୟତୀତ ଛାତ୍ରୀଛାତ୍ରଙ୍କ ପାଇଁ ମହୋତ୍ସବରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଉତ୍ସବର ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ର ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଓ ନାଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ମୁଖ୍ୟ ଆକର୍ଷଣ ସାଜିବ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’।
ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାକୁ ଉଦ୍ଘାଟନ କରିବେ। ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେବେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଥିବା ସୋମବାର ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।