
କୁହାଯାଉଛି ଯେ, ଭାରତରେ କାମ କରୁଥିବା ଅଧିକାଂଶ କୂଟନୀତିଜ୍ଞଙ୍କୁ କାନାଡା ସରକାର କୁଆଲାଲମ୍ପୁର ଓ ସିଙ୍ଗାପୁରକୁ ପଠାଇଦେଇଛି। ସଂଖ୍ୟା ହ୍ରାସ ପାଇଁ ଭାରତ ସରକାର ଅକ୍ଟୋବର ୧୦ପର୍ଯ୍ୟନ୍ତ ସମୟ ଦେଇଥିବା ବେଳେ କାନାଡା ଏବେ ଏଦିଗରେ କାମ କରିବା ଆରମ୍ଭ କରିଛି।
କାନାଡ଼ା ପୂର୍ବରୁ ଦାବି କରିଥିଲା ଯେ, ନିଜାର ହତ୍ୟା ମାମଲାରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଛି ଏବଂ ଏ ବାବଦ କଲ୍ ରେକର୍ଡ ଉପଲବ୍ଧ ଅଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଗତ ସେପ୍ଟେମ୍ବର ୨୧ତାରିଖରେ ଭାରତ କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରିବାକୁ କାନାଡାକୁ କହିଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଥିଲେ ଯେ, ଭାରତରେ କାନାଡାର ଆବଶ୍ୟକତାଠାରୁ ଅଧିକ କୂଟନୀତିଜ୍ଞ ଅଛନ୍ତି। ସେମାନେ ମଧ୍ୟ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛନ୍ତି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଭାରତରେ କାନାଡାର କୂଟନୈତିକ ଉପସ୍ଥିତିରେ ସମତୁଲତା ସୁନିଶ୍ଚିତ କରିବା ଉପରେ ଆମର ଧ୍ୟାନ ରହିଛି। ତେଣୁ ଆମେ କୂଟନୀତିଜ୍ଞ ସଂଖ୍ୟା କମ କରିବାକୁ ନିଷ୍ପତ୍ତି ନେଇଛୁ।