Spread the love

 

sanj

ଦିଲ୍ଲୀରୁ ପ୍ରତ୍ୟାହାର ହୋଇସାରିଥିବା ଅବକାରୀର ନୀତିରେ ହୋଇଥିବା ତଥାକଥିତ ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ବୁଧବାର ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି। ଏହି ୫ ଦିନ କାଳ ଇଡି ସଞ୍ଜୟ ସିଂହଙ୍କୁ ଜେରା କରିବା ସହ ତଥାକଥିତ ମଦ ନୀତି ଦୁର୍ନୀତି ଘଟଣାରେ ଅଧିକ ତଥ୍ୟ ହାସଲ କରିବ।

ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରୁ ଜଣେ ବ୍ୟବସାୟୀ ୩ କୋଟି ଟଙ୍କା ସଞ୍ଜୟ ସିଂହଙ୍କୁ ଦେଇଥିବା ଆଜି ଇଡି ତାଙ୍କୁ ରିମାଣ୍ଡରେ ନେବେ ବେଳେ କୋର୍ଟଙ୍କୁ ଅବଗତ କରାଇଛି। ଇଡି କହିଛି ଯେ ଦିଲ୍ଲୀ ବ୍ୟବସାୟୀ ଦୀନେଶ ଅରୋରା ପ୍ରଥମ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବେ ସେ ରାଜସାକ୍ଷୀ ପାଲଟି ଯାଇଛନ୍ତି। ତାଙ୍କ ବୟାନ ଆଧାରରେ ଇଡି ତଦନ୍ତ କରିବା ସହ ସଞ୍ଜୟ ସିଂହ ଦୁର୍ନୀତି ୩ କୋଟି ଟଙ୍କା ପାଇଥିବା କୋର୍ଟଙ୍କୁ ଅବଗତ କରାଇଛି।

ଇଡି କୋର୍ଟଙ୍କୁ ଆହୁରି କହିଛି ଯେ “ରେଡ୍‌ ବେଳେ ସଞ୍ଜୟ ସିଂହଙ୍କ ଘରୁ ଦୁର୍ନୀତି ସହ ଜଡ଼ିତ କିଛି ଡିଜିଟାଲ ପ୍ରମାଣ ମିଳିଛି। ଏଗୁଡ଼ିକ ସତ୍ୟାସତ୍ୟ ଜାଣିବା ପାଇଁ ସଞ୍ଜୟ ସିଂହଙ୍କୁ ହେପାଜତକୁ ନେଇ ଜେରା କରିବାର ଆବଶ୍ୟକତା ରହିଛି। ଦୀନେଶ ଅରୋରାଙ୍କ ଠାରୁ ସଞ୍ଜୟ ସିଂହ ୩ କୋଟି ଟଙ୍କା ନେଇଥିଲେ। ଅରୋରାଙ୍କ ଜଣେ କର୍ମଚାରୀ ସରବେଶ ତାଙ୍କୁ ଏହି ଟଙ୍କା ଦେଇଥିଲେ। ତେଣୁ ଅପରାଧ ସହ ସଞ୍ଜୟ ସିଂହ ସିଧାସଳଖ ଲିଙ୍କ ରହିଛି।”

ସଞ୍ଜୟ ସିଂହଙ୍କ ଓକିଲ ଏହାକୁ କାଉଣ୍ଟର କରି କହିଥିଲେ ଯେ “ଦୀନେଶ ଅରୋରାଙ୍କୁ ଏହି ସମାନ ଇଡି ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ରାଜସାକ୍ଷୀ କରାଯାଇଛି। ତାଙ୍କ କଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିପରି ଏହି ମାମଲାରେ ତଦନ୍ତକାରୀ ସଂସ୍ଥା କେବେ ହେଲେ ପୂର୍ବରୁ ସଞ୍ଜୟ ସିଂହଙ୍କୁ ସମନ କରି ନଥିଲା। ଇଡି କହିଛି ଯେ ସେମାନେ ୨୩୯ଟି ସ୍ଥାନରେ ରେଡ୍‌ କରିଥିଲେ। କ’ଣ ୨୩୯ ସ୍ଥାନରୁ ମିଳିଥିବା ପ୍ରମାଣ ସମ୍ପର୍କରେ ସଞ୍ଜୟ ସିଂହଙ୍କୁ ସେମାନେ ପଚରାଉଚରା କରିବେ।?”

ଅଭିଯୁକ୍ତରୁ ରାଜସାକ୍ଷୀ ହେବା ପ୍ରସଙ୍ଗରେ ଇଡି କହିଛି ଯେ “ଦୀନେଶ ଅରୋରା ଏହି କୋର୍ଟର ନ୍ୟାୟିକ ନିର୍ଦ୍ଦେଶ ଅନୁସାରେ ରାଜସାକ୍ଷୀ ହୋଇଛନ୍ତି।”

ଏହି ସମୟରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଥିଲେ, “ମୋ ବିରୋଧରେ ଥିବା ସମସ୍ତ ଅଭିଯୋଗ ମିଛ। ଦୀନେଶ ଓ ଅମିତ ଅରୋରା ତଦନ୍ତକାରୀ ସଂସ୍ଥାର ହେପାଜତରେ ଥିଲେ। ଏବେ ସେମାନେ ମୋ ନାଁ ନେଉଛନ୍ତି। ମୁଁ ହାତ ଯୋଡ଼ି ଅନୁରୋଧ କରିବାକୁ ଚାହୁଁଛି ଯେ ଯଦି ଏହି ସବୁ ଅଭିଯୋଗରେ ସତ୍ୟତା ଥିବା ପ୍ରମାଣ ମିଳିବ, ତା’ହେଲେ ମୁଁ ସର୍ବାଧିକ ଦଣ୍ଡ ପାଇବାକୁ ରାଜି।

କିନ୍ତୁ ଏହି ମାମଲାଟି ପୂର୍ବାଗ୍ରହ ବା ଆକ୍ରୋଶ ମୂଳକ।” ଏହାକୁ ଇଡି ବିରୋଧ କରିବା ସହ କୋର୍ଟ କୌଣସି ରାଜନୀତିକ ମଞ୍ଚ ନୁହେଁ ବୋଲି କହିଥିଲା। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସଞ୍ଜୟ ସିଂହଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *