
ଭାରତ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ଶନିବାର ଦିନ ସକାଳ ୮.୩୦ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, କୋରାପୁଟ, ରାୟଗଡା ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କାଲାହାଣ୍ଡି, ରାୟାଗଡା, ମାଲକାନଗିରି, କୋରାପୁଟରେ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ମୟୂରଭଞ୍ଜ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଆଇଏମଡି ଅନୁଯାୟୀ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।
Post Views: 6