Spread the love

ନୂଆଦିଲ୍ଲୀ: ଶନିବାର ମଧ୍ୟରାତ୍ରରେ କାନାଡାର ବ୍ରିଟିସ୍‌ କଲମ୍ବିଆରେ ଥିବା ଏକ ହିନ୍ଦୁ ମନ୍ଦିରର ମୁଖ୍ୟ ଫାଟକରେ ଖଲିସ୍ତାନୀ ପ୍ରଚାର ପୋଷ୍ଟର୍‌ ଲଗାଯାଇ ଉକ୍ତ ମନ୍ଦିରକୁ ବିରୂପ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସେ ପୋଷ୍ଟର୍‌ରେ ଉଲ୍ଲେଖ ଅଛି: ଜୁନ୍‌ ୧୮ ତାରିଖ ହତ୍ୟା ଘଟଣାରେ ଭାରତର ଭୂମିକା ଉପରେ କାନାଡା ତଦନ୍ତ କରୁଛି। ଉକ୍ତ ପୋଷ୍ଟର୍‌ରେ ବିଚ୍ଛିନ୍ନତାବାଦୀ ସଙ୍ଗଠନ ‘ଖଲିସ୍ତାନ ଟାଇଗର୍‌ ଫୋର୍ସ’ର ମୁଖ୍ୟ ହରଦୀପ ସିଂହ ନିଜ୍ଜାରଙ୍କର ଫଟୋ ଛାପା ଯାଇଛି।
ଉଲ୍ଲେଖ‌ଯୋଗ୍ୟ, ହର୍‌ଦୀପ ସିଂହ ନିଜ୍ଜାର ଥିଲେ କାନାଡାର ସ‌ୁରେଠାରେ ଥିବା ‘ଗୁରୁ ନାନକ ଶିଖ୍‌ ଗୁରୁଦ୍ବାର ସାହିବ୍‌’ର ମୁଖ୍ୟ। ଜୁନ୍‌ ୧୮ ତାରିଖ ସନ୍ଧ୍ୟା ବେଳେ ଗୁରୁଦ୍ବାର ପରିସରରେ ତାଙ୍କୁ ୨ଜଣ ଅଜ୍ଞାତ ବ୍ୟକ୍ତି ହତ୍ୟା କରିଥିଲେ।
ଶନିବାର ରାତିରେ ସୁରେ’ରେ ବିରୂପ କରାଯାଇଥିବା ଲକ୍ଷ୍ମୀନାରାୟଣ ମନ୍ଦିର ହେଉଛି ବ୍ରିଟିସ୍‌ କଲମ୍ବିଆରେ ଥିବା ସବୁଠୁ ବଡ଼ ଓ ସବୁଠୁ ପୁରୁଣା ହିନ୍ଦୁ ମନ୍ଦିର ମଧ୍ୟରେ ଅନ୍ୟତମ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ କାନାଡାରେ ଏହା ହେଉଛି ହିନ୍ଦୁ ମନ୍ଦିର ବିରୂପ କରାଯିବାର ୩ୟ ଘଟଣା। ଚଳିତ ବର୍ଷ ଜାନୁଆରି ୩୧ ତାରିଖରେ କାନାଡାର ବ୍ରାମ୍ପ୍‌ଟନ୍‌ରେ ଥିବା ଏକ ହିନ୍ଦୁ ମନ୍ଦିର ପ୍ରାଚୀରରେ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖାଯାଇଥିଲା।
ସେହିପରି, ଏପ୍ରିଲ୍‌ ମାସରେ ବି କାନାଡାର ଅଣ୍ଟାରିଓରେ ଥିବା ଆଉ ଏକ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖାଯାଇଥିଲା।

Leave a Reply

Your email address will not be published. Required fields are marked *