ନୂଆଦିଲ୍ଲୀ: ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ପରେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ କେନ୍ଦ୍ରୀୟ ଦିଲ୍ଳୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଫେରି ପାଇଛନ୍ତି ରାହୁଲ। ବାସଭବନ ମିଳିବା ପରେ ରାହୁଲ କହିଛନ୍ତି, ସାରା ଭାରତ ହେଉଛି ମୋ ଘର।
ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ଏପ୍ରିଲ ୨୨, ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍ କରାଯାଇଥିଲା। ଏହା ପରେ ରାହୁଲ ନିଜ ବଙ୍ଗଳାରୁ ସମସ୍ତ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ।
ତେବେ ୨୦୦୫ରୁ ରାହୁଲ ୧୨ ତୁଗଲକ ଲେନ୍ ବଙ୍ଗଳାରେ ରହି ଆସୁଥିଲେ। ବଙ୍ଗଳା ଛାଡ଼ିବାପରେ ରାହୁଲ ଗଣମାଧ୍ୟମରେ କହିଥିଲେ, ମୁଁ ସତ କହିବାର ମୂଲ୍ୟ ଦେଉଛି। ଏବେ ମା’ ସୋନିଆଙ୍କ ସହ ମୁଁ ୧୦ ଜନପଥସ୍ଥିତ ବାସଭବନରେ ରହିବି।
ଉଲ୍ଲେଖଯୋଗ୍ୟ, ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ସେସନ୍ ଅଦାଲତ ରାହୁଲ୍ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେବାରୁ ତାଙ୍କର ସାଂସଦ ପଦ ଆପଣାଛାଏଁ ରଦ୍ଦ ହୋଇଯାଇଥିଲା। ଏହା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଅଗଷ୍ଟ ୪ ତାରିଖ ଦିନ ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଥିଲେ, ଏହି ମାମଲାରେ ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ଗୋଟିଏ ଦିନ କମ୍ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍ ଜଜ୍’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।