Spread the love

କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ବିଜୟ ରାଘ‍ବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନାଙ୍କର ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା।

ସ୍ପନ୍ଦନା ତାଙ୍କ ଭାଇଭଉଣୀଙ୍କ ସହିତ ଥାଇଲ୍ୟାଣ୍ଡ ଯାଇଥିଲେ। ଶୁଟିଂ ଶେଷ କରି ବିଜୟ ରାଘବେନ୍ଦ୍ର ମଧ୍ୟ ସେଠାକୁ ଯାଇଥିଲେ। ମୃତ୍ୟୁ ବେଳକୁ ସ୍ପନ୍ଦନା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଥିଲେ।

ବିଜୟଙ୍କ ଭାଇ ଶ୍ରୀ ମୁରଲୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ପନ୍ଦନା ଖାଇପିଇ ଶୋଇବାକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ଆଉ ଉଠି ନଥିଲେ। ନିମ୍ନ ରକ୍ତଚାପ (ଲୋ’ ବ୍ଲଡପ୍ରେସର) ଜନିତ ଜଟିଳତା ହେତୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅନୁମାନ କରୁଛି।

ସ୍ପନ୍ଦନା ‘ଅପୂର୍ବା’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେଥିରେ ସେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ସ୍ପନ୍ଦନା ହେଉଛନ୍ତି କଂଗ୍ରେସ ନେତା ତଥା କର୍ଣ୍ଣାଟକା ବିଧାନ ପରିଷଦର ସଦସ୍ୟ ବି.କେ ହରିପ୍ରସାଦଙ୍କ ଝିଆରୀ।

ସ୍ପନ୍ଦନାଙ୍କ ମୃତ୍ୟୁରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ଓ ଆହୁରି ବହୁ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *