Spread the love

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବ୍ୟକ୍ତିଗତ ରୋଷେୟା ଟାଫାରୀ କ୍ୟାମ୍ପ୍‌ବେଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସୋମବାର ମସାଚୁସେଟ୍ସ ଅଞ୍ଚଳରେ ପୋଲିସ ତାଙ୍କ ମୃତ୍ୟୁ ନିଶ୍ଚିତ କରିଛି। ପୋଲିସ କହିଛି ଯେ ମାର୍ଥା ଭାଇନ୍‌ୟାର୍ଡ ନିକଟସ୍ଥ ହ୍ରଦରୁ ରୋଷେୟାଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି।

ସୂଚନା ମୁତାବକ, ୪୫ ବର୍ଷୀୟ ଟାଫାରୀ କ୍ୟାମ୍ପ୍‌ବେଲ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପାଇଁ କାମ କରୁଥିଲେ। ସେ ମାର୍ଥା ଭାଇନ୍‌ୟାର୍ଡ ବୁଲିବାକୁ ଆସି ରବିବାର ସନ୍ଧ୍ୟାଠାରୁ ନିଖୋଜ ଥିଲେ। ଏହି ସମୟରେ ସେ ପାଣି ଭିତରକୁ ଯାଇଥିଲେ। ହେଲେ ସେଠାରୁ ଆଉ ଫେରିପାରି ନ ଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଟାଫାରୀଙ୍କୁ ବୁଡ଼ିଯାଉଥିବାର ଦେଖିଥିଲେ। ପାଣିରେ ସର୍ଫିଂ କରିବାକୁ ଯାଇଥିବା ଟାଫାରୀ ସେହି ସମୟରେ ଲାଇଫ୍‌ ଜ୍ୟାକେଟ ପିନ୍ଧି ନ ଥିଲେ।

ସେପଟେ ଟାଫାରୀଙ୍କ ମୃତ୍ୟୁକୁ ନେଇ ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା ଦୁଃଖପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ହ୍ଵାଇଟ୍‌ ହାଉସରେ ହିଁ ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ୮ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଟାଫାରୀ ସେମାନଙ୍କ ସହିତ ଯୋଡ଼ି ରହିଥିଲେ। ଟାଫାରୀ କ୍ୟାମ୍ପ୍‌ବେଲଙ୍କର ପତ୍ନୀ ଓ ଦୁଇ ଯାଆଁଳା ପିଲା ଅଛନ୍ତି।

କହି ରଖୁଛୁ ଯେ ବାରାକ ଓବାମା ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ଏହି ସମୟରେ ଟାଫାରୀ କ୍ୟାମ୍ପ୍‌ବେଲ ତାଙ୍କ ସହିତ କାମ କରିଥିଲେ। ୨୦୧୬ ପରେ ମଧ୍ୟ ସେ ବ୍ୟକ୍ତିଗତ ସ୍ତରରେ ଓବାମାଙ୍କ ପରିବାର ସହିତ ରହି କାମ କରୁଥିଲେ।

Leave a Reply

Your email address will not be published. Required fields are marked *