Spread the love

ମଧ୍ୟ ପ୍ରଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ବ୍ୟକ୍ତି ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ି ୬୦୦୦ ଟଙ୍କା ତଣ୍ଡ ଗଣିଛନ୍ତି। ସୂଚନା ମୁତାବକ, ଭୋପାଳ ଷ୍ଟେସନରେ ଦକ୍ଷିଣ ଏକ୍ସପ୍ରେସ ଟ୍ରେନକୁ ବ୍ୟକ୍ତି ସପରିବାର ଅପେକ୍ଷା କରିଥିଲେ। ଏହି ଟ୍ରେନରେ ତାଙ୍କୁ ହାଇଦ୍ରାବାଦ ସିଙ୍ଗରୌଲି ଯିବାର ଥିଲା। କିନ୍ତୁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଜୋର୍‌ରେ ପରିସ୍ରା ଲାଗିଥିଲା, ଯାହାଫଳରେ ସେ ପରିସ୍ରା କରିବା ପାଇଁ ବନ୍ଦେ ଭାରତ ଟ୍ରେନରେ ଚଢ଼ିଯାଇଥିଲେ।

ହେଲେ ଏହାପରେ ତାଙ୍କ ସହିତ ଯାହା ହୋଇଥିଲା, ସେ କେହି ବି କଳ୍ପନା କରିପାରିବେ ନାହିଁ। ଏମିତି କରି ବ୍ୟକ୍ତି କେବଳ ୬୦୦୦ ଟଙ୍କା ତଣ୍ଡ ଗଣି ନ ଥିଲେ, ବରଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା। ବନ୍ଦେ ଭାରତରେ ଚଢ଼ି ୬୦୦୦ ଟଙ୍କା ଜରିମାନା ଦେଇଥିବା ଏହି ବ୍ୟକ୍ତିଙ୍କ ନାମ ଅବଦୁଲ କାଦିର, ବୟସ ୪୨ ବର୍ଷ। ସେ ସିଙ୍ଗରୌଲିର ବେଢ଼ନ ଅଞ୍ଚଳର ବାସିନ୍ଦା।

ଘଟଣା ଜୁଲାଇ ୧୫ର ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ଷ୍ଟେସନରେ ଥିବା ଶୌଚାଳୟ ପରିବର୍ତ୍ତେ ଇନ୍ଦୋର ଯିବା ପାଇଁ ଛିଡା ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଚଢ଼ିଥିଲେ। ଆଉ ଯେତେବେଳେ ସେ ପରିସ୍ରା ସାରି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ, ହଠାତ୍‌ ଟ୍ରେନର କବାଟ ବନ୍ଦ ହୋଇଯାଇଥିଲା। ଏହା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ଷ୍ଟେସନରେ ଓହ୍ଲାଇପାରି ନ ଥିଲେ।

ଟ୍ରେନ୍ ଚାଲିବା ମାତ୍ରେ ଅବଦୁଲ ଟିଟିଇ ଏବଂ ପୋଲିସର ସହାୟତା ଲୋଡ଼ିଥିଲେ। ଏଥିସହିତ ନିଜ ଭୁଲ୍‌ ମଧ୍ୟ ସ୍ୱୀକାର କରିଥିଲେ। ଭୋପାଳ ଷ୍ଟେସନରେ ବସିଥିବା ତାଙ୍କ ପତ୍ନୀ ଏବଂ ଅସୁସ୍ଥ ପୁଅକୁ ଭେଟିବା ପାଇଁ ଟ୍ରେନ୍‌ ଅଟକାଇବାକୁ ଅବଦୁଲ୍‌ ନେହୁରା ହୋଇ କହିଥିଲେ। ହେଲେ ଟିଟିଇ କି ପୋଲିସ୍ କେହି ଅବଦୁଲଙ୍କ କଥା ଶୁଣି ନ ଥିଲେ। ୧୦୨୦ ଟଙ୍କାର ଟିକେଟ୍‌କୁ କ୍ଷତିପୂରଣ ସହିତ ୬୦୦୦ ଟଙ୍କାରେ କାଟି ଦେଇଥିଲେ। ସେପଟେ ଅନିଚ୍ଛା ସତ୍ତ୍ୱେ ଅବଦୁଲ୍‌ଙ୍କୁ ଉଜ୍ଜୈନ ଆସିବାକୁ ପଡ଼ିଥିଲା ଏବଂ ଉଜ୍ଜୈନରୁ ଭୋପାଳ ଫେରିବା ପାଇଁ ପାଖାପାଖି ୭୦୦ରୁ ୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *