Spread the love

ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୧-୨୨ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ଓ ୨୪ ତାରିଖ ବେଳକୁ ଏହା ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।
ଏହି ଘୂର୍ଣ୍ଣିବଳୟ ଓ ପରବର୍ତ୍ତୀକାଳରେ ଲଘୁଚାପ ପ୍ରଭାବରେ ୧୯ ତାରିଖଠାରୁ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷାହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ବର୍ଷା ପରିମାଣ ବଢିବ । ଦକ୍ଷିଣ-ଓଡ଼ିଶାରେ ଅଧିକ ପରିମାଣରେ ବର୍ଷାର ଆଶଙ୍କା ରହିଛି ବୋଲି ସ୍କାଏମେଟ୍ କହିଛି । ବିଶେଷକରି ୨୪ ଓ ୨୫ ଜୁଲାଇରେ ଏସବୁ ଅଂଚଳରେ ପ୍ରବଳ ବର୍ଷା ହେବ । ପରେ ଲଘୁଚାପଟି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଫଳରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ପ୍ରବଳ ବର୍ଷା ହେବ । ତେବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ ।
ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ ସୁଧାର ଆସିବ । ବର୍ତ୍ତମାନର ଘୂର୍ଣ୍ଣବଳୟ ପୂର୍ବରୁ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରୁ ବି ଓଡ଼ିଶାରେ ଭଲ ବର୍ଷା ହୋଇଥିଲା ।

Leave a Reply

Your email address will not be published. Required fields are marked *