Spread the love

ଭୁବନେଶ୍ୱର, : ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ପାରୁଛନ୍ତି, ତାହା ଆଜି ସାରା ବିଶ୍ୱ ଦେଖୁଛି। ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି ମୁହଁରେ ପ୍ରଶଂସିତ ହେଉଥିବାବେଳେ ଓଡ଼ିଶା ବିଜେପି କିନ୍ତୁ ଏହାକୁ ସହିପାରୁନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ଆଜି ଏଠାରେ ଶ୍ରୀ ପଣ୍ଡା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ଚାହାଁନ୍ତି, ଓଡ଼ିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ। ଚୁଲିମୁଣ୍ଡରେ ରୋଷେଇ କରିବା ବ୍ୟତୀତ ପଦାକୁ ଗୋଡ଼ ନ କାଢ଼ନ୍ତୁ। ସେଥିପାଇଁ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲାଞ୍ଚ ଖାଉଛନ୍ତି ବୋଲି କହି ଅପମାନିତ କରି ଆସୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ମହିଳାମାନଙ୍କ ବିରୋଧରେ ବାରମ୍ବାର ମିଥ୍ୟା ଆରୋପ କରିବା ସହ ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି।

କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମିଶନ ଶକ୍ତି ଅଭିଯାନ ଯୋଗୁଁ ଆଜି ଓଡ଼ିଶାର ମହିଳାମାନେ ହୋଟେଲ/ରେଷ୍ଟୁରାଣ୍ଟ ଚଳାଉଛନ୍ତି, ହସ୍ପିଟାଲ ପରିଚାଳନାଠୁ ନେଇ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରୁଛନ୍ତି। ନିଜକୁ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପ୍ରମାଣିତ କରୁଛନ୍ତି।
ଆଜି ଓଡ଼ିଶା ବିଜେପିର ଅସଲ ଉଦ୍ଦେଶ୍ୟ ଜଣା ପଡ଼ିଗଲା। ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବା ପାଇଁ ସେମାନଙ୍କର ଏହି ଷଡ଼ଯନ୍ତ୍ର କିନ୍ତୁ କେବେ ବି ସଫଳ ହେବ ନାହିଁ। ମିଶନ ଶକ୍ତି ସହ ସଂପୃକ୍ତ ଥିବା ମା’ମାନେ ଏହାକୁ କେବେହେଲେ ବରଦାସ୍ତ କରିବେ ନାହିଁ। ସେମାନେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ପଣ୍ଡା ।

Leave a Reply

Your email address will not be published. Required fields are marked *