Spread the love

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ‌‌ଶେଷ ହୋଇଛି। ୭୩,୮୮୭ ଆସନ ଲାଗି ହୋଇଥିବା ମତଦାନେ ପ୍ରାୟ ୫.୬୭ କୋଟି ଭୋଟର ଅଂଶ ଗ୍ରହଣ କରି ୨.୦୬ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ସେଠାରେ ୫୦.୦୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ତେବେ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି | ସରକାରୀ ସୂଚନା ଅନୁସାରେ, ଭୋଟ୍‌ ଗ୍ରହଣ ଚାଲିଥିବାବେଳେ ରାଜ୍ୟର ବିଭିନ୍ନ ଅଂଚଳରେ ହିଂସାକାଣ୍ଡ ଘଟି ୧୩ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାଥମିକ ସୂଚନା ଅନୁସାରେ ତୃଣମୂଳ କଂଗ୍ରେସର ୮ ସଦସ୍ୟ, ସିପିଆଇ(ଏମ୍)ର ୩ ସଦସ୍ୟ ଓ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଛନ୍ତି।
ଏହା ବାଦ ଅନେକ ସ୍ଥାନରେ ବିଭିନ୍ନ ସ୍ଥାନରେ ଲୋକେ ବାଲଟ୍‌ ବକ୍ସ୍‌ ନଷ୍ଟ କରିଥିବା ବେଳେ ବାଲଟ ପେପରରେ ନିଆଁ ଲଗାଇଦେିଛନ୍ତି| ବୋମାମାଡ ସାଙ୍ଗକୁ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି | ଆଉ ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆକ୍ସନକୁ ଆସିଯାଇଛନ୍ତି | ସେ ହିଂସାକୁ ନେଇ ରିପୋର୍ଟ ଥଲବ କରିଛନ୍ତି। ଅନ୍ୟପକ୍ଷରେ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି ଯେ ଗତ ୭ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି |
ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଚାଲିଛି ଏବଂ ଗତ ୭ ଘଣ୍ଟା ମଧ୍ୟରେ ୧୫ ଜଣ ପ୍ରାଣ ହରାଇଛନ୍ତି। ପଞ୍ଚାୟତ ନିର୍ବାଚନ ଘୋଷଣା ପରଠାରୁ ୩୩ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବିଜେପି ସାଂସଦ କହିଛନ୍ତି। ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ଅଧିକାଂଶ ବୁଥକୁ ଟିଏମସି କର୍ମୀମାନେ କବଜା କରିଥିବାବେଳେ ପୁଲିସ କର୍ମଚାରୀମାନେ ଟିଏମସି କର୍ମୀ ସାଜି ଅନେକ ସ୍ଥାନରେ ମତଦାନ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କଠାରୁ ସବିଶେଷ ତଥ୍ୟ ମାଗିଛନ୍ତି। ଅନ୍ୟପଟେ ହିଂସାକାଣ୍ଡକୁ ନେଇ ଶନିବାର କୋଲକାତାରେ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିଜେପି କର୍ମୀମାନେ ଏକତ୍ରିତ ହୋଇ ନିଜର ପ୍ରତିବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *