Spread the love

ଭୁବନେଶ୍ୱର: ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଦାୟର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ସମ୍ପର୍କ ଥାଇ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଏକା କଥା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗରିଫ କରିଥିଲା। ଆଇପିସିର ଅନ୍ୟ ଧାରା ସହିତ ଦୁଷ୍କର୍ମ ମାମଲା ବା ୩୭୬ ଦଫାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ଚ୍ୟାଲେଞ୍ଚ କରି ଅଭିଯୁକ୍ତ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଫଆଇଆର ଅନୁଯାୟୀ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଜଣା ପଡୁନାହିଁ । ଯଦି ପୁରୁଷ ବନ୍ଧୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ ତେବେ ଆଇପିସିର ୩୭୬ ଦଫାରେ ମାମଲା ରୁଜ୍ଜୁ ହୋଇଥାନ୍ତା ।

ଦୀର୍ଘ ଦିନ ଧରି ସମ୍ପର୍କରେ ରହିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ କୌଣସି କାରଣରୁ ଫାଟ ହେଲେ ପୁରୁଷ ବନ୍ଧୁଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ପୁରୁଷ ଓ ମହିଳା ଉଭୟ ଉଚ୍ଚଶିକ୍ଷିତ ଏବଂ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ମଧ୍ୟ। ଭବିଷ୍ୟତ ସ୍ଥିତି କଣ ହେବ, ସେ ନେଇ ବେଶ ସଚେତନ ଥାଇ ଉଭୟ ପରସ୍ପର ମଧ୍ୟରେ ସମ୍ପର୍କରେ ବାନ୍ଧି ହୋଇଥିଲେ । ତେଣୁ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ମାମଲା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଅଭିଯୁକ୍ତଙ୍କ ନାମରେ ଅନ୍ୟ ଦଫାରେ ମାମଲା ଚାଲିପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *