Spread the love

ଖୋର୍ଦ୍ଧା: ଟାଙ୍ଗୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଛକରେ ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପରିଡ଼ା, ସନ୍ତୋଷ ପ୍ରଧାନ, ଦିଲ୍ଲୀପ କୁମାର ସୁରଜିତ ଓ ଗଙ୍ଗାଧର ସୁବୁଦ୍ଧି।

ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ, ମୃତ ଠିକାଦାର ରମେଶ ରାଉତ ଏକ ଡକାୟତି ମାମଲାରେ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ବିଷୟରେ ଜାଣିବାକୁ ପାଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ସମସ୍ତ ଅଭିଯୁକ୍ତ ଗତ ୧୪ ତାରିଖରେ ମୟୂରଭଞ୍ଜରେ ଘଟିଥିବା ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ। ମୃତ ଠିକାଦାର ଜଣକ ଡକାୟତି ସମ୍ପର୍କରେ ଜାଣିବା ପରେ ସେଠାରେ ଉପସ୍ଥିତ ଥିଲେ। ଆଗରୁ ଡକାୟତି କଥା ପ୍ରକାଶ ପାଇଥିବାରୁ ଗଣ୍ଡଗୋଳ ହୋଇଥିଲା ଏବଂ ଦୁର୍ବୃତ୍ତମାନେ ଠିକାଦାରଙ୍କୁ ହତ୍ୟା କରିଥିଲେ ବୋଲି କଟାରିଆ କହିଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ରାଧାମୋହନପୁରର ମୃତ ଠିକାଦାର ରମେଶ ରାଉତଙ୍କୁ ଗତ ୧୮ ତାରିଖରେ ୨ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଠିକାଦାର ରମେଶ ରାଉତ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଅତି ନିକଟରୁ ଗୁଳି ଫୁଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବାରୁ ପୁଲିସ ତଦନ୍ତ ଜାରି କରିଛି।

ଗଞ୍ଜାମ ଜିଲ୍ଲାର ଅଭିଯୁକ୍ତ ମନୋଜ ପରିଡା ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତା ନାଁରେ ବିଭିନ୍ନ ଥାନାରେ ପ୍ରାୟ ୧୩ଟି ମାମଲା ରହିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି। ଠିକାଦାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *