Spread the love

ପୁରୀ : କେମିତି ଅଛି ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପର ଅବସ୍ଥା? କାହା ସ୍ଥିତି ଦୁର୍ବଳ ହୋଇଛି? କେଉଁଠି ଦରକାର ମରାମତି? ଏହାର ଯାଞ୍ଚ କରିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ASI, ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ବୈଷୟିକ କୋର କମିଟିର ୨୦ଜଣିଆ ଉଚ୍ଚସ୍ତରୀୟ ଟିମ୍‌ ଆଜିଠୁ ଶ୍ରୀମନ୍ଦିରକୁ ଯାଇଛନ୍ତି। ଗର୍ଭଗୃହର ପ୍ରଥମ ଓ ଦ୍ୱିତୀୟ ମହଲା, ରୋଷ ଘର ଓ ଭୋଗ ମଣ୍ଡପ ସବୁର ଚଟାଣ ପରୀକ୍ଷା ନିରୀକ୍ଷା କରାଯାଉଛି। ବିଶେଷକରି ଜଗମୋହନରେ କଳା ଆସ୍ତରଣ କେତେ ପରିମାଣର ବଢ଼ିଛି ? କେମିତି ଏହାର କେମିକାଲ ୱାସିଂ କରାଯିବ ଓ ଭେଣ୍ଟିଲେସନ୍‌ ବ୍ୟବସ୍ଥା ସୁଗମ କରିବାକୁ ଅଧିକ ଫୋକସ୍ ଦେଉଛି ଟିମ୍।
ସେହିପରି ଜଗମୋହନରେ ହୋଇଥିବା ଷ୍ଟିଲ ଫ୍ରେମ୍ କାମର ତଦାରଖ ସହ ନାଟମଣ୍ଡପ ଗରୁଡ଼ସ୍ତମ୍ଭ ବିମ୍‌ରେ ସୃଷ୍ଟ ଫାଟର ବି ଅନୁଧ୍ୟାନ ଚାଲିଛି। ଯେହେତୁ ଏବେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି, ତେଣୁ ନୀଳାଦ୍ରିବିଜେ ପୂର୍ବରୁ ଏସବୁ କାମ ସାରିବାକୁ ତତ୍ପର ହୋଇଛି ଟିମ୍। ତା’ସହ ଗର୍ଭଗୃହରେ ଶ୍ରୀଅଙ୍ଗକୁ ବିପଦ ସାଜିଥିବା ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ କମାଇବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଗର୍ଭଗୃହରେ ସବୁ ଛୋଟବଡ଼ ଫାଙ୍କରେ ଲୁହା ଜାଲି ଦିଆଯିବା ସହ ଆବଶ୍ୟକ ପଡ଼ିଲେ ଜୈବ ଓ ପ୍ରାକୃତିକ ପ୍ରଣାଳୀରେ ଔଷଧ ପ୍ରସ୍ତୁତ କରାଯାଇ ମୂଷା ବଂଶ କମାଇବାକୁ ପଦକ୍ଷେପ ନିଆଯିବ ବୋଲି ଟିମ୍ ଲକ୍ଷ୍ୟ ରଖାଯାଇଥିବା ଆର୍କ୍ୟୁଲୋଜିଷ୍ଟ ସୁପରିଟେଣ୍ଡେଣ୍ଟ ଡି.ଏସ୍‌. ଗଡ଼ନାୟକ କହିଛନ୍ତି।
ସେପଟେ ପୂର୍ବ ନିଷ୍ପତ୍ତି ମୁତାବକ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ସମୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା। ଗତକାଲି ରାତିରେ ପ୍ରଥମେ ସିଂହଦ୍ୱାରରେ ଏକ ଅବିକଳ ଅସ୍ଥାୟୀ ଦ୍ୱାର ଲଗାଯାଇଛି। ମୁମ୍ବାଇ ଜଣେ ଦାତାଙ୍କ ପାଖରୁ ୫ ଶହ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଆସି ପହଞ୍ଚିବା ପରେ ୧୫ରୁ ଅଧିକ ଶ୍ରମିକ ଏହାକୁ ସିଂହଦ୍ୱାର ପାଖକୁ ନେଇ ମାପ-ଚୁପ କାମରେ ଲାଗିଛନ୍ତି। ବର୍ମା ଶାଗୁଆନ କାଠରେ ମୂଳ ସିଂହଦ୍ୱାର ଭଳି ଫ୍ରେମ ପଡ଼ିବା ପରେ ସେଥିରେ ଉତ୍କଳୀୟ ଢାଞ୍ଚାରେ ରୁପା କାରୁକାର୍ଯ୍ୟ ସହ ଛାଉଣୀ କରାଯିବ। ସେପଟେ ରୂପା ଛାଉଣୀ କାମ ଚାଲିଥିବାରୁ ସିଂହଦ୍ୱାର ବାଟେ କେବଳ ସେବାୟତଙ୍କୁ ଛାଡ଼ି କାହାରିକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ସଂପୂର୍ଣ୍ଣ ସିଂହଦ୍ୱାରକୁ ଏବେ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି।

Leave a Reply

Your email address will not be published. Required fields are marked *