Spread the love

ବେଙ୍ଗାଲୁରୁ : ଲୋକେ ମତଦାନ କରି କ୍ଷମତାରେ ବସାଇଥିବାରୁ ସମସ୍ତ ୫ ପ୍ରତିଶ୍ରୁତିକୁ ଚଳିତ ଆର୍ଥିକ ବର୍ଷ ହିଁ ପୂରଣ କରିବ କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାର। ଏ ବାବଦରେ କଂଗ୍ରେସ ପକ୍ଷରୁ ସବୁକିଛି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଲୋକଙ୍କୁ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ପୂରଣ କରିବା ନିମନ୍ତେ ଆଜି କ୍ୟାବିନେଟ ବୈଠକ ବସିଥିଲା। ଯେଉଁଥିରେ ସମସ୍ତ ୫ ପ୍ରତିଶ୍ରୁତି ପୂରଣ ନିମନ୍ତେ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ମୁତାବକ, ମାଗଣା ବିଜୁଳି ସ୍କିମ୍(ଗୃହ ଜ୍ୟୋତି) ଯୋଜନାରେ ପ୍ରତ୍ୟକ ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ୍‌ ବିଜୁଳି ବ୍ୟବହାର ନିମନ୍ତେ କୌଣସି ଦେୟ ଦେବାକୁ ପଡ଼ିବନି। ଏହା ଆସନ୍ତା ମାସ ପହିଲାରୁ ଲାଗୁ ହେବ। ଗୃହଲକ୍ଷ୍ମୀ ସ୍କିମ୍‌ରେ ପ୍ରତି ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ସହାୟତା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦିଆଯିବ। ଏଥିନିମନ୍ତେ ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ ଯୋଡ଼ିବା ଆବଶ୍ୟକ। ଜୁନ୍ ୧୫ରୁ ଜୁଲାଇ ୧୫ ଭିତରେ ଆକାଉଣ୍ଟ ଯାଞ୍ଚ କରାଯିବ ଓ ଅନ୍ୟାନ୍ୟ ସମସ୍ତ କାମ ଅଗଷ୍ଟ ୧୫ ସୁଦ୍ଧା ସରିବ। ଏହି ସ୍କିମ୍ ବିପିଏଲ୍ ଓ ଅନ୍ତଦ୍ୱୟ କାର୍ଡ ଧାରୀଙ୍କୁ ମିଳିବ। ଯଦି କୌଣସି ମହିଳା ସାମାଜିକ ସୁରକ୍ଷା ଭତ୍ତା ପାଉଛନ୍ତି ତେବେ ବି ୨ ହଜାର ଟଙ୍କା ପାଇବେ। ଯିଦି ସେ ପରିବାର ମୁଖ୍ୟ ହୋଇଥିବେ, ତେବେ ସେ ୨ ହଜାର ଟଙ୍କାର ସହାୟତା ପାଇବେ।
ଅନ୍ନ ଭାଗ୍ୟ ସ୍କିମ୍‌ରେ ପ୍ରତି ବିପିଏଲ୍ ପରିବାରକୁ ସଦସ୍ୟ ପିଛା ୧୦ କେଜି ଚାଉଳ ମାଗଣା ମିଳିବ। ପୂର୍ବରୁ କଂଗ୍ରେସ ଏଠାରେ କ୍ଷମତାରେ ଥିବା ବେଳେ ଏହି ସ୍କିମ୍‌ରେ ସଦସ୍ୟ ପିଛା ୭ କେଜି ଚାଉଳ ମାଗଣା ଦେଉଥିବା ବେଳେ ବିଜେପି ସରକାର ଆସିବା ପରେ ଏହାକୁ ୫ କେଜି କରାଯାଇଥିଲା। ହେଲେ କ୍ଷମତାକୁ ଫେରିବା ପରେ କଂଗ୍ରସେ ଏହି ମାଗଣା ଚାଉଳ ପରିମାଣକୁ ବଢ଼ାଇ ୧୦ କେଜି ପ୍ରତି ମୁଣ୍ଡପିଛା କରିଛି। ବିପିଏଲ୍ ପରିବାରମାନେ ଆସନ୍ତା ଜୁଲାଇ ପହିଲାରୁ ଏହି ସହାୟତା ପାଇବେ।
‘ଉଚିତ ପ୍ରଜ୍ଞା ଗ୍ୟାରେଣ୍ଟି’ ସ୍କିମ୍‌ ମହିଳାମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ସମସ୍ତ ବସ୍‌ରେ ମାଗଣା ଯାତାୟତ ସୁବିଧା ମିଳିବ। ଆସନ୍ତା ଜୁନ୍‌ ୧୧ ତାରିଖରୁ ଏହି ସ୍କିମ୍‌ର ସହାୟତା ମହିଳାମାନଙ୍କୁ ମିଳିବ। କର୍ଣ୍ଣାଟକା ପରିବହନ ବିଭାଗ ବସ୍‌ରେ ଏଥିନିମନ୍ତେ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବ। ତେବେ ଏହି ସହାୟତା କେବଳ ରାଜ୍ୟ ଭିତରେ ମହିଳାମାନଙ୍କୁ ମିଳିବ। ବାହାର ରାଜ୍ୟକୁ ଯାତାୟତ କରୁଥିବା ବସ୍‌ରେ ସହାୟତାର ସୁବିଧା ମିଳିବନି। ସେହିପରି ଏସି ଓ ଲକଜୁରୀ ବସ୍‌ରେ ଏହି ସ୍କିମ୍‌ର ସହାୟତା ମଧ୍ୟ ମିଳିବନି।
ଡିଗ୍ରୀ ହାସଲ କରିବାର ୬ ମାସ ପରେ ମଧ୍ୟରେ ଚାକିରି ନ ପାଇ ବେକାର ବୁଲୁଥିବା ଯୁବକଯୁବତୀଙ୍କୁ ମାସକୁ ୩ ହଜାର ଟଙ୍କା ସହାୟତା ମିଳିବ। ଯୁବନିଧି ସ୍କିମ୍‌ରେ ତାଙ୍କୁ ୨୪ ମାସ ନିମନ୍ତେ ଏହି ସହାୟତା ମିଳିବ। ବେକାର ଯୁବକଯୁବତୀମାନେ ଆବେଦନ କରି ଏହି ସହାୟତା ପାଇପାରିବେ। ଏହା କିନ୍ନରମାନେ ମଧ୍ୟ ପାଇପାରିବେ। ବେକାର ଥିବା ଡିପ୍ଲୋମା ଡିଗ୍ରୀ ଧାରୀଙ୍କୁ ପ୍ରତିମାସରେ ୧୫୦୦ ଟଙ୍କା ଏହି ସ୍କିମ୍ ଅନ୍ତର୍ଗତ ମିଳିବ। ଏହି ଦୁଇବର୍ଷ ଅବଧି ଭିତରେ ସେମାନେ ଯେକୌଣସି ସମୟରେ ଚାକିରି ପାଉଥିଲେ, ତୁରନ୍ତ ସେମାନଙ୍କ ସାମାଜିକ ସୁରକ୍ଷା ସହାୟତା ବନ୍ଦ କରି ଦିଆଯିବ ବୋଲି ଜଣାପଡ଼ିଛି।
କର୍ଣ୍ଣାଟକାରେ କଂଗ୍ରେସର ଏହି ନିର୍ବାଚନ ପ୍ରତିଶ୍ରୁତି ପୂରଣ ଆସନ୍ତା ନିର୍ବାଚନ ନିମନ୍ତେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କାରଣ ଏହା ପ୍ରତିଦ୍ୱନ୍ଦ୍ୱି ଦଳକୁ ଅକଳରେ ପକାଇବ। କଂଗ୍ରେସ ପୁଣି ଦେଶରେ କ୍ଷମତାକୁ ଫେରିବାକୁ ଏହି ନୀତିକୁ ଆପଣାଇ ପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *