Spread the love

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ଏଥିସହ କଂଗ୍ରେସ ନିର୍ବାଚନ ଜିତିବା ପାଇଁ ପାଇଁ ଦେଉଥିବା ଗ୍ୟାରେଣ୍ଟୀ ଫର୍ମୁଲା ଓ କଂଗ୍ରେସ ସରକାରର ସ୍ଥିରତା ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଇଛନ୍ତି।
ବିଜେପିର ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଆଜି ପ୍ରଧାନମନ୍ତ୍ରୀ ଆଜେମର ଓ ପୁଷ୍କର ଯାଇଥିଲେ। ଏହି ସମୟରେ ସେ ସାଧାରଣ ସଭାକୁ ସମ୍ବୋଧନ କରି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ।
କର୍ଣ୍ଣାଟକାରେ କଂଗ୍ରେସ ୫ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବା ବେଳେ ଦଳ ରାଜସ୍ଥାନରେ ମଧ୍ୟ ସମାନ ଫର୍ମୁଲା କାର୍ଯ୍ୟକାରୀ କରି ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ଗ୍ୟାରେଣ୍ଟୀ ଫର୍ମୁଲାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଏବେ ଗ୍ୟାରେଣ୍ଟୀର ନୂଆ ଫର୍ମୁଲା ଆପଣାଇଛି। କିନ୍ତୁ କ’ଣ ସେମାନେ ଗ୍ୟାରେଣ୍ଟୀକୁ ପୂରଣ କରୁଛନ୍ତି? ସେମାନଙ୍କ ଗ୍ୟାରେଣ୍ଟୀ ଦେଶକୁ ଦେବାଳିଆ କରିଦେବ।”
ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏବେ ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିଛି। ଦଳ ଏଠାରେ କ୍ଷମତା ବଜାୟୀ ରଖିବାକୁ ଯୋଜନା କରୁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଦଳ ପ୍ରଚାର ମଧ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ମାଗଣା ବିଜୁଳି ଠାରୁ ଆରମ୍ଭ କରି ଶସ୍ତାରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ଭଳି ଯୋଜନା ଉପରେ ଫୋକସ କରିବାରେ ଲାଗିଛନ୍ତି।
ଏହି ପ୍ରସଙ୍ଗରେ ମୋଦି କହିଛନ୍ତି, “୫୦ ବର୍ଷ ତଳେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଗରିବୀକୁ ହଟାଇବେ। କିନ୍ତୁ ଏହା ଗରିବଙ୍କ ସହ ତାଙ୍କର ସବୁଠାରୁ ବଡ଼ ଧୋକା ରହିଥିଲା। ଗରିବଙ୍କୁ ବିଭ୍ରାନ୍ତ କରିବା ଓ ସେମାନଙ୍କୁ ଶୋଷଣା କରିବା ହିଁ କଂଗ୍ରେସର ନୀତି।
ରାଜସ୍ଥାନର ଲୋକମାନେ ମଧ୍ୟ ଏହି ନୀତି ଯୋଗୁ ଅନେକ କିଛି ସହିଛନ୍ତି। ରାଜସ୍ଥାନ କ’ଣ ପାଇଛି? ରାଜସ୍ଥାନରେ ଏମିତି ଏକ ସରକାର ରହିଛି, ଯେଉଁଠି ବିଧାୟକ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ପରସ୍ପର ସହ ଲଢ଼େଇ କରୁଛନ୍ତି।”
ମୁଖ୍ୟମନ୍ତ୍ରୀ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ତିକ୍ତତାକୁ କେନ୍ଦ୍ର କରି ମୋଦି ଏପରି ବୟାନ ଦେଇଛନ୍ତି। ଚଳିତ ବର୍ଷ ମୋଦି ୪ର୍ଥ ଥର ପାଇଁ ରାଜସ୍ଥାନ ଗସ୍ତରେ ଯାଇଛନ୍ତି।
ମୋଦି କହିଛନ୍ତି, “ଲୋକଙ୍କ ସେବା, ଉତ୍ତମ ଶାସନ ଓ ଗରିବଙ୍କ କଲ୍ୟାଣ ପାଇଁ ବିଜେପି ସରକାର ୯ ବର୍ଷ ହେଲା କାମ କରି ଆସିଛି। ୨୦୧୪ ପୂର୍ବରୁ ଲୋକମାନେ ଦୁର୍ନୀତି ବିରୋଧରେ ରାସ୍ତାକୁ ଓହ୍ଲାଉଥିଲେ। ଦେଶରେ ଆତଙ୍କୀ ହମଲା ହେଉଥିଲା। ଏହି ସମୟରେ କଂଗ୍ରେସ ରିମୋଟ ଦ୍ୱାରା ସରକାର ଚଳାଉଥିଲା।
କଂଗ୍ରେସ ଏମିତି ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ସୃଷ୍ଟି କରିଥିଲା, ଯାହା ଦେଶର ରକ୍ତକୁ ଶୋଷି ଚାଲିଥିଲା। ବିକାଶ ରାସ୍ତାରେ ବାଧା ସୃଷ୍ଟି ହୋଇଥିଲା। ହେଲେ ଏବେ ସବୁ କିଛି ବଦଳିଛି। ପୂରା ବିଶ୍ୱ ଭାରତ ବିଷୟରେ କଥା ହେଉଛି। ଭାରତ ଭୟଙ୍କର ଗରିବ ହଟାଇବାକୁ ଅତି ପାଖରେ ପହଞ୍ଚି ଯାଇଛି।”
ଏଥିସହ ମୋଦି ବିନା କୌଣସି ପଜ୍‌ରେ ତାଙ୍କ ସରକାରର ବିଭିନ୍ନ ଯୋଜନାର ନାଁ ମଧ୍ୟ ଲୋକଙ୍କୁ ପଢ଼ି ଶୁଣାଇ ଥିଲେ।

Leave a Reply

Your email address will not be published. Required fields are marked *