Spread the love

ଇମ୍ଫାଲ : ହିଂସା କ୍ଷତି ଗ୍ରସ୍ତ ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଓ ରାଜ୍ୟରେ ଧ୍ୱଂସଲୀଳା କରିବାକୁ ବିଭିନ୍ନ ଉଗ୍ରବାଦୀ ସଂଗଠନ ସାଧାରଣ ଲୋକଙ୍କୁ ଢାଲ କରୁଛନ୍ତି। ସେମାନେ ମହିଳା ଓ ଛୋଟ ପିଲାଙ୍କୁ ଆଗରେ ରଖି ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ଭାରତୀୟ ସେନା ସୂଚନା ଦେଇଛି।
ମେ’ ୨୮ ତାରିଖରେ ସ୍ଥଳ ସେନାର ସ୍ପେର କ୍ରପ୍ସ ପକ୍ଷରୁ ଟ୍ୱିଟ କରି ଉଗ୍ରବାଦୀମାନେ କେମିତି ସାଧାରଣ ଲୋକଙ୍କୁ ଢାଲ କରି ବିଭିନ୍ନ ଗାଁ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି, ତା’ର ପର୍ଦ୍ଦାଫାସ କରାଯାଇଥିଲା।
ଏହି ଟ୍ୱିଟରେ ଉଗ୍ରବାଦୀମାନେ କେମିତି ସାଧାରଣ ଲୋକଙ୍କୁ ବ୍ୟବହାର କରି ମାନବ ଢାଲ ଦ୍ୱାରା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଯୋଜନା କରିଛନ୍ତି, ତା’ର ତଥ୍ୟ ରହିଛି।
ହିଂସା ପାଇଁ ଯୋଜନା କରିଥିବା ଉଗ୍ରବାଦୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିବା ଗୋଟିଏ ଚାଟର ସ୍କ୍ରିନ ଶଟ୍‌କୁ ସେନା ପକ୍ଷରୁ ଶେୟାର କରାଯାଇଛି। ଏଥିରେ ପାର୍ଟି ଏ ପାର୍ଟି ବି‘ କୁ କହୁଛି ଯେ ସେମାନଙ୍କୁ ଆଜି ଅର୍ଥାତ ମେ’ ୨୭ରେ ଟାସ୍କ ଶେଷ କରିବାକୁ ପଡ଼ିବ। ଆମେ ଫ୍ରଣ୍ଟ ଲାଇନରେ ରହିବା ଓ ସାଧାରଣ ଲୋକଙ୍କୁ ଦ୍ୱିତୀୟ ଲାଇନରେ ରଖିବା। ଏହାପରେ ଆମେ ଗୋଟିଏ ଗାଁକୁ ଧ୍ୱଂସ କରିଦେବା।
ପାର୍ଟି ବି ଏହାର ଜବାବରେ କହିଛି ଯେ କେଉଁ ଅଞ୍ଚଳ ଓ କେଉଁ ଗାଁ? ଏହାପରେ ପାର୍ଟି ଏ କହୁଛି ଯେ …(ଆର୍ମି ପକ୍ଷରୁ ନାଁ ଉପରେ କଳା ପଟି ରହିଛି) ଅଞ୍ଚଳ। ଆମକୁ ଏଠାରେ ଆକ୍ରମଣ କରିବା ସହ ଗାଁଟିକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବାକୁ ପଡ଼ିବ। ତେଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ ଓ ଗୋଟିଏ ଗାଡ଼ି ଯୋଗାଡ଼ କର।
ଉଗ୍ରବାଦୀମାନଙ୍କ ପାଖରେ ଏବେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ରହିଛି ଓ ଆଗକୁ ସେମାନଙ୍କ ପାଖରେ ଆହୁରି ଅସ୍ତ୍ରଶସ୍ତ୍ର ପହଞ୍ଚିବ ବୋଲି ଏହି ଚାଟରୁ ପର୍ଦ୍ଦାଫାସ ହୋଇଛି। ଏକାଧିକ ସଂଗଠନ ବର୍ତ୍ତମାନ ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ଆହୁରି ତୀବ୍ର କରିବାକୁ ଚାହୁଁଛନ୍ତି। ସେମାନେ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରିଛନ୍ତି।
ଉଗ୍ରବାଦୀ ସଂଗଠନ ଗୁଡ଼ିକ ମହିଳା ଓ ଛୋଟ ପିଲାମାନଙ୍କୁ ମାନବ ଢାଲ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଥିଲେ। ଯଦି ସୁରକ୍ଷାକର୍ମୀଙ୍କ ଅପରେସନରେ ମହିଳା ଓ ଛୋଟ ପିଲା ମୃତାହତ ହୁଅନ୍ତି, ତା’ହେଲେ ସେମାନେ ଭାରତୀୟ ସେନା ବିରୋଧରେ ଅପପ୍ରଚାର କରି ଲୋକଙ୍କ ମନରେ ବିଦ୍ୱେଷ ସୃଷ୍ଟି କରିବାକୁ ସକ୍ଷମ ହେବେ। ହିଂସା ଦ୍ୱାରା କ୍ଷତିଗ୍ରସ୍ତ ମଣିପୁରରେ ଅନେକ ସ୍ଥାନରେ ଉଗ୍ରବାଦୀମାନେ ଏପରି ଯୋଜନା କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି।
ରବିବାର ଠାରୁ ମଣିପୁରର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି। ଏଥିରେ ୪୦ ଜଣ ଉଗ୍ରବାଦୀ ପ୍ରାଣ ହରାଇଛନ୍ତି।
ଅନ୍ୟପକ୍ଷରେ ସୁରକ୍ଷାକର୍ମୀ ୩ ଜଣ ହିଂସା ସୃଷ୍ଟିକାରୀଙ୍କୁ ରବିବାର ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ଇନସାସ ରାଇଫଲ, ୬ ରାଉଣ୍ଡ ୫.୫୬ ଏମମ ଗୁଳି, ଗୋଟିଏ ଚାଇନିଜ ଗ୍ରେନେଡ ଓ ଗୋଟିଏ ଡିଠୋନେଟର ମିଳିଛି।
ଇମ୍ଫାଲ ଇଷ୍ଟ ଜିଲ୍ଲାର ନ୍ୟୁ ଚେକୋନ ଅଞ୍ଚଳରୁ ଏପରି ଗିରଫଦାରୀ ହୋଇଛି। ଏମାନେ ସମସ୍ତେ ଗୋଟିଏ କାର୍‌ରେ ଯାଉଥିଲେ। ସୁରକ୍ଷାକର୍ମୀ କାର୍‌କୁ ଅଟକାଇବା କ୍ଷଣି ୩ ଜଣ ଯାକ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ତେବେ ସୁରକ୍ଷାକର୍ମୀମାନେ ସମସ୍ତଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ।

Leave a Reply

Your email address will not be published. Required fields are marked *