Spread the love

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ। ଏଠାରେ ଲୋକମାନେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ତାଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟିଭ ତାଙ୍କ Annual Misery Index (HAMI)ରେ ସେଗୁଡ଼ିକର ରାଙ୍କିଙ୍ଗ କରିଛନ୍ତି।
ଜିମ୍ବାୱେ ଦୁଃଖୀ ତାଲିକାରେ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ, ସିରିୟା ଓ ସୁଦାନକୁ ମଧ୍ୟ ଅତିକ୍ରମ କରି ଯାଇଛି। ଦେଶରେ ଦେଖାଯାଇଥିବା ଆକାଶ ଛୁଆଁ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
ଗତବର୍ଷ ଜିମ୍ବାୱେରେ ମୁଦ୍ରାସ୍ଫୀତି ୨୪୩.୮% ଛୁଇଁଥିଲା। ଏଥିଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇଛି। ସାଧାରଣ ଲୋକ ଠିକ ଭାବେ ଖାଇବାକୁ ପାଉ ନାହାନ୍ତି। ତେଣୁ ସେମାନେ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।
ଦୁଃଖୀ ରାଷ୍ଟ୍ରଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ବେଳେ ୧୫୭ଟି ଦେଶର ଆର୍ଥିକ ସ୍ଥିତିକୁ ବିଚାରକୁ ନିଆଯାଇଥିଲା। ହାଙ୍କେନ କହିଛନ୍ତି ଯେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, ଉଚ୍ଚ ବେକାରୀ ସମସ୍ୟା, ବର୍ଦ୍ଧିତ ସୁଧହାର ଓ ପ୍ରକୃତ ଜିଡିପି ଅଭିବୃଦ୍ଧି ହ୍ରାସ ଯୋଗୁ ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ହାଙ୍କେ ଜିମ୍ବାୱେର ଜାନୁ-ପିଏଫ ରାଜନୀତିକ ଦଳ ଓ ଏହାର ନୀତିକୁ ମଧ୍ୟ ଏପରି ସ୍ଥିତି ପାଇଁ ଦାୟୀ କରିଛନ୍ତି। ଜିମ୍ବାୱେ ୧ନଂ ସ୍ଥାନରେ ଥିବା ବେଳେ ଭେଞ୍ଜୁଆଲା, ସିରିୟା, ଲେବାନନ, ସୁଦାନ, ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହୈତି, ଅଙ୍ଗୋଲା, ଟୋଙ୍ଗା ଓ ଘାନା ଦୁଃଖୀ ରାଷ୍ଟ୍ର ତାଲିକାର ଟପ୍‌ ୧୫ରେ ରହିଛନ୍ତି।
ଅନ୍ୟପକ୍ଷରେ ସ୍ୱିଜରଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସି ଦେଶ ଭାବେ ପରିଗଣିତ ହୋଇଛି। ଏଠାରେ ସୁଧ ହାର ବହୁତ କମ ଓ ଜିଡିପି ଅଭିବୃଦ୍ଧି ଅଧିକ ଥିବାରୁ ଲୋକମାନେ ବେଶ ଆରାମରେ ରହୁଛନ୍ତି। କ୍ୟୁଏତ ଦ୍ୱିତୀୟ ଖୁସି ଦେଶ ହୋଇଥିବା ବେଳେ ଏହା ପଛକୁ ଆୟର୍ଲ୍ୟାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନିଗେର, ଥାଇଲ୍ୟାଣ୍ଡ, ଟୋଗୋ ଓ ମାଲଟା ରହିଛନ୍ତି।
ଦୁଃଖୀ ତାଲିକାରେ ଭାରତ ୧୦୩ ନମ୍ବର ସ୍ଥାନରେ ରହିଛି। ଭାରତରେ ଦେଖାଯାଉଥିବା ବେକାରୀ ସମସ୍ୟା ଯୋଗୁ ଲୋକମାନେ ଦୁଃଖରେ ରହୁଥିବା ରିପୋର୍ଟରେ କୁହାଯାଇଛି। ଆମେରିକା ୧୩୪ରେ ରହିଥିବା ବେଳେ ବିଶ୍ୱ ଖୁସି ସୂଚକାଙ୍କରେ ୬ ବର୍ଷ ହେଲା ୧ନଂ ସ୍ଥାନରେ ରହୁଥିବା ଫିନଲ୍ୟାଣ୍ଡ ଦୁଃଖୀ ତାଲିକାର ୧୦୯ ନମ୍ବରରେ ରହିଛି।

Leave a Reply

Your email address will not be published. Required fields are marked *