Spread the love

କଟକ : ଭିଜିଲାନ୍ସ କିମ୍ୱା ଅନ୍ୟ ଫୌଜଦାରୀ ମାମଲା ବିଚାରାଧୀନ ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ। ଆଜି ଏଭଳି ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ୪୬ଟି ରିଟ୍‌ ଅପିଲର ଏକତ୍ର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌.ମୂରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି।
ତେବେ ପଦୋନ୍ନତି ପ୍ରସଙ୍ଗ ବିଚାରାଧୀନ ଫୌଜଦାରୀ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାର ରାୟ ତାଙ୍କ ସପକ୍ଷରେ ଯାଏ ଓ ତାଙ୍କ ବିରୋଧରେ ରହିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରୁ ସେ ଦୋଷମୁକ୍ତ ହୁଅନ୍ତି, ତେବେ ତାଙ୍କୁ ପଦୋନ୍ନତି ମିଳିପାରିବ। ଯଦି ଫୌଜଦାରୀ ମାମଲାର ରାୟ ପ୍ରକାଶ ବେଳକୁ ସଂପୃକ୍ତ କର୍ମଚାରୀ ଅବସର ଗ୍ରହଣ କରି ସାରିଥିବେ, ତାହାହେଲେ ପଦୋନ୍ନତି ସମୟର ସମସ୍ତ ପ୍ରାପ୍ୟକୁ ହିସାବକୁ ନେଇ ତାଙ୍କ ପେନସନ୍‌ ଧାର୍ଯ୍ୟ କରାଯିବ ବୋଲି ଡିଭିଜନ୍‌ ବେଞ୍ଚ ରାୟରେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ହାଇକୋର୍ଟର ଜଣିକିଆ ବିଚାରପତି ଏ ସଂପର୍କିତ ମାମଲାର ଶୁଣାଣି କରି ଫୌଜଦାରୀ ମାମଲା ବିଚାରାଧୀନ ଥିଲେ, ତାହା ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ବାଧକ ହେବ ନାହିଁ ବୋଲି ରାୟ ଦେଇଥିଲେ। ଆଉ ଏପରି କେତେକ କର୍ମଚାରୀଙ୍କୁ ଆଡ୍‌ହକ୍‌ ପଦୋନ୍ନତି ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ ଦାୟର କରିଥିଲେ।

Leave a Reply

Your email address will not be published. Required fields are marked *