Spread the love

ଗଜପତି : ଲାଞ୍ଚ ନେଇ ଫେରାଇଲେ ସବ୍‌ ଇନ୍ସପେକ୍ଟର ମାଡ଼ାମ। ଘଟଣା ପ୍ରଘଟ ହେବା ପରେ ଟ୍ରାନ୍ସଫର ହେଲେ। ହେଲେ ପ୍ରକୃତି ଛାଡ଼ିଲେ ନାହିଁ। ଅଭିଯୋଗକାରୀକୁ ଅପହରଣ କରାଇ ହରଡଘଣା ଫସି ଗଲେ। ଆଉ ଏବେ ଚାକିରିରୁ ନିଲମ୍ୱିତ ହେଲେ। ଏପରି ଖବର ଗଜପତି ଜିଲ୍ଲା ମୋହନାରୁ ଆସିଛି। ଗଜପତି ଏସ୍‌ପି ଏସ୍‌. ସ୍ଵାତୀ କୁମାର ତାଙ୍କୁ ନିଲମ୍ୱିତ କରିଛନ୍ତି।
ଯୁବ ପଞ୍ଚାୟତ ଲୁଣ୍ଡ୍ରୁଜ୍‌ ଗାଁର ପ୍ରେରିତ ମାଝୀଙ୍କ ସମୁଦିଙ୍କ ଅଟୋକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜବତ କରିଥିଲା ପୁଲିସ୍‌। ସେହି ଅଟୋକୁ ମୁକାଇବା ପାଇଁ ମୋହନା ଥାନାକୁ ଯାଇଥିଲେ ପ୍ରେରିତ ମାଝୀ। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମଗା ଯାଇଥିଲା। ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ପ୍ରେରିତ ମାଝୀ କହିଥିଲେ। ଡିଲ୍‌ ପରେ ୮ ମାସ ତଳେ ସେ ମହିଳା ସବ୍‌ ଇନ୍ସପେକ୍ଟର ଜୋତ୍ସ୍ନା ରାୟଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ହେଲେ ଅଟୋକୁ ଛାଡ଼ିନଥିଲେ।
ପ୍ରେରିତ ମାର୍ଚ୍ଚ ୨୫ ତାରିଖରେ ଏନେଇ ଜୋତ୍ସ୍ନା ରାୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ଦୁଇ ଦିନ ପାରେ ଅର୍ଥାତ ମାର୍ଚ୍ଚ ୨୭ ତାରିଖରେ ତତ୍କାଳୀନ ଥାନା ଅଧିକାରୀଙ୍କ ଉପସ୍ଥତିରେ ମାମଲା ସମାଧାନ ହୋଇଥିଲା। ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟ ୨୦ ହଜାର ଟଙ୍କା ଫେରାଇଥିଲେ। ଭବିଷ୍ୟତରେ ଆଉ କେବେ ପ୍ରେରିତଙ୍କୁ ହଇରାଣ କରିବେ ନାହିଁ ବୋଲି ଜୋତ୍ସ୍ନା ରାୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ସେପଟେ ଲାଞ୍ଚ ଟଙ୍କା ଫେରାଇବା ଘଟଣା ପ୍ରଘଟ ହେବା ପରେ ଜୋତ୍ସ୍ନା ରାୟଙ୍କୁ ଗଜପତି ଏସ୍‌ପି ଜିଲ୍ଲା ପୁଲିସ୍‌ ହେଡ୍‌ କ୍ୱାଟରକୁ ବଦଳି କରିଥିଲେ। ହେଲେ ସୁଧୁରି ନଥିଲେ ସବ୍‌ ଇନ୍ସପେକ୍ଟର ଜୋତ୍ସ୍ନା ରାୟ। ଲାଞ୍ଚ ଘଟଣାକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଗତ ମାସ ୨୬ ତାରିଖରେ ଏକ ମାମଲାରେ ସାକ୍ଷୀ ଦେବାକୁ ମୋହନା କୋର୍ଟ ଆସିଥିବା ବେଳେ ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟ କିଛି ଲୋକଙ୍କ ସହଯୋଗରେ ପ୍ରେରିତଙ୍କୁ କିରାମା ଜଙ୍ଗଲକୁ ଅପହରଣ କରି ନେଇଥିଲେ।

ସେଠାରେ ଏକ ଧଳା କାଗଜରେ ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲେ। କିଛି ଉପାୟ ନପାଇ ପ୍ରେରିତ ଧଳା କାଗଜରେ ସ୍ୱାକ୍ଷର କରିଥିଲେ। ସେମାନଙ୍କ କବଳରୁ ପ୍ରେରିତ ମୁକୁଳିବା ପରେ ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସବ୍‌-ଇନ୍ସପେକ୍ଟ ଜୋତ୍ସ୍ନା ରାୟଙ୍କୁ ଆଜି ଗଜପତି ଏସ୍‌ସି ନିଲମ୍ବିତ କରିଛନ୍ତି।

Leave a Reply

Your email address will not be published. Required fields are marked *