Spread the love

ନୂଆଦିଲ୍ଲୀ : କର୍ଣ୍ଣାଟକାରେ କ୍ଲିନ୍‌ ସୁଇପ୍‌ ପାଇବା ପରେ ନିଜ ପୁରୁଣା ଜୋସ୍‌କୁ ଫେରି ପାଇଛି କଂଗ୍ରେସ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକା ଇତିହାସକୁ ରିପିଟ୍‌ କରିବାକୁ ଅଣ୍ଟା ଭିଡ଼ିଛି ଦଳ । ଏଥିନିମନ୍ତେ ଦଳର ନେତା ରାହୁଲ ଗାନ୍ଧି ରାତି ଦିନ ଏକ କରି ଦେଇଛନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝିବାକୁ ସେ ଗୋଟିଏ ବି ମଉକା ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ରାହୁଲଙ୍କର ଏବେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ଟ୍ରକ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି।
ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ହେଲେ ଅମ୍ବାଲାରୁ ସେ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିଥିଲେ। କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି ଅମ୍ବାଲାରେ ଟ୍ରକ୍‌ ଡ୍ରାଇଭରଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଡ୍ରାଇଭରଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ।
ରାହୁଲ ଗାନ୍ଧିଙ୍କ ଭିଡିଓ ଶେଆର କରି କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, କେତେବେଳେ ୟୁନିଭରସିଟିରେ ଛାତ୍ରଙ୍କ ସହ, କେତେବେଳେ ଖେଳାଳିଙ୍କ ସହ, କେତେବେଳ ଚାଷୀଙ୍କ ସହ ତ ପୁଣି କେତେବେଳେ ଡେଲିଭରି ବୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧି। ସେ ଦେଶର ସାଧାରଣ ଲୋକଙ୍କ ସମସ୍ୟା ଓ କଷ୍ଟ ବୁଝିବାକୁ ଚେଷ୍ଟା କରୁଛନ୍ତି।
ଏହା ଦେଖି ମନରେ ଏକ ପ୍ରକାର ବିଶ୍ୱାସ ଜନ୍ମୁଛି ଯେ ଲୋକଙ୍କ ସମସ୍ୟା ବୁଝିବାକୁ ଓ ସେମାନଙ୍କ ସହ ଛିଡ଼ା ହେବାକୁ କେହି ଜଣେ ଏହି ଦେଶରେ ଅଛନ୍ତି । ତେଣୁ ଘୃଣାର ବଜାରରେ କେହି ଜଣେ ତ ଭଲ ପାଇବାର ଦୋକାନ ଖୋଲିବାକୁ ଅଣ୍ଟା ଭିଡିଛି। ତେଣୁ ଧୀରେ ଧୀରେ ରାହୁଲଙ୍କ ସହ ଦେଶ ପାଦ ବଢ଼ାଇ ଚାଲିବାକୁ ଆରମ୍ଭ କରିଥିବା ପରି ମନେ ହେଉଛି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ରାହୁଲ ସେପ୍ଟେମ୍ବରଠାରୁ କନ୍ୟାକୁମାରୀଠାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ୧୨ଟି ରାଜ୍ୟ ଅତିକ୍ରମ କରିଥିଲା ଓ ଜାନୁୟାରୀରେ ଜମ୍ମୁ କଶ୍ମୀରରେ ଶେଷ ହୋଇଥିଲା। ରାହୁଲ ୧୩୬ ଦିନ ଯାତ୍ରାରେ ୪ହଜାର କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରିଥିଲେ। ଏହାପରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏଥିରେ କଂଗ୍ରେସ ବହୁମତ ହାସଲ କରିବାକୁ ସକ୍ଷମ ହୋଇଥିଲା।

Leave a Reply

Your email address will not be published. Required fields are marked *