Spread the love

ବଲାଙ୍ଗୀର : ପଦାରେ ପଡ଼ିଲା ବଲାଙ୍ଗୀର ରଜାଘର କଳି। ବିବାଦରେ କୁମାର ଅର୍କେଶ ନାରାୟଣ ସିଂହଦେଓ। ଘରକଳି ଥାନାରେ ପହଞ୍ଚିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଲାଣି । ଭାଇରାଲ ହେଉଥିବା ତଥ୍ୟ ଅନୁସାରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ସିଂହଦେଓ ତାଙ୍କୁ ତାଙ୍କ ସ୍ବାମୀ ମାରପିଟ୍‌ କରିଥିବା ଦର୍ଶାଇ ଡେରାଡୁନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକାଶଥାଉ କି, ଅଦ୍ରିଜା ତାଙ୍କ ସ୍ବାମୀ ଅର୍କେଶଙ୍କୁ ରାଜନୀତିରେ ସହଯୋଗ କରୁଥିଲେ। ବଲାଙ୍ଗୀର ଅଂଚଳର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। କିନ୍ତୁ କ’ଣ ହେଲା କେଜାଣି ଅର୍କେଶ ଓ ଅଦ୍ରିଜାଙ୍କ ଭିତରେ ଫାଟ ‌ସୃଷ୍ଟିହେଲା। ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ହେଲା।
ରଜାଘର ବିରୋଧରେ ମାରପିଟର ଅଭିଯୋଗ ଆଣିଛନ୍ତି ଅଦ୍ରିଜା। ଡେରାଡୁନ ଥାନାରେ ତଥା ସେଠାକାର ଆଇଜିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଅର୍କେଶ, ଘରେ କାମ କରୁଥିବା ହରି ସିଂହ ଓ ଅନ୍ୟମାନେ ତାଙ୍କୁ ମାଡ଼ମାରି ବାହାର କରିଦେଇଥିବା ଅଦ୍ରିଜା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖୁବ୍‌ ଶୀଘ୍ର ବଲାଙ୍ଗୀର ଆସିପାରନ୍ତି ଅଦ୍ରିଜା।
ଘଟଣା ସଂପର୍କରେ ଅର୍କେଶଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ‘ଏସବୁ ମିଥ୍ୟା ଅଭିଯୋଗ। ଆଜିକାଲି ଦାମ୍ପତ୍ୟ ଜୀବନରେ ଏ ପ୍ରକାର ଅଭିଯୋଗ କରି ସାଧାରଣରେ ବଦନାମ କରିବା ପାଇଁ ଏକ ପ୍ରକାରର ଚାପ ସୃଷ୍ଟି କରୁଛନ୍ତି। ମାମଲା ଡେରାଡୁନ କୋର୍ଟରେ ଚାଲିଛି। ନ୍ୟାୟପାଳିକା ଉପରେ ମୋର ଭରସା ରହିଛି। ଖୁବ୍‌ ଶୀଘ୍ର ଆପଣମାନେ ସତ କଣ ଜାଣି ପାରିବେ।’ ସୂଚନାଯୋଗ୍ୟ ଯେ ଅଦ୍ରିଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ।

Leave a Reply

Your email address will not be published. Required fields are marked *