Spread the love

କଟକ : ‘ସ୍ୱାମୀ ଓ ପୁଅ ମଦ ପିଉଥିଲେ ପାଣିରେ ଝାଡ଼ା ମେଡିସିନ୍‌ ମିଶାଇ ଦେଇଦିଅ। ସେହି ପାଣି ପିଇ ଝାଡ଼ା ହୋଇଗଲେ, ଆଉ ମଦ ପିଇବେ ନାହିଁ। କହିବ ତ ମେଡ଼ିସିନ୍‌ ଲେଖିଦେବି।’ ମଦକୁ ବିରୋଧ କରି ଆନ୍ଦୋଳନ କରୁଥିବା ମହିଳାଙ୍କୁ ପୁଲିସ୍‌ ଏମିତି ପେଟେଣ୍ଟ ମେଡିସିନ୍‌ ବ ତାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ।
ଟାଙ୍ଗୀ ବ୍ଲକ୍‌ ମଣିଆ ଗାଁରେ ୩ଟି ସ୍ଥାନରେ ଦେଶୀ, ବିଦେଶୀ ଓ ମିକ୍ସ- ସବୁ ଭେରାଇଟ୍‌ର ମଦ ବିକ୍ରି ହେଉଛି। ହାତ ପାହାନ୍ତାରେ ମଦ ମିଳୁଥିବାରୁ ଗାଁର ଭେଣ୍ଡିଆଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ପିଉଛନ୍ତି। ଯାହା ରୋଜଗାର କରୁଛନ୍ତି, ସବୁ ଭାଟିରେ ଦେଇ ଦେଉଛନ୍ତି। ମାତାଲ ହୋଇ ଘରକୁ ଫେରୁଛନ୍ତି। ପତ୍ନୀ ଓ ଛୁଆପିଲାଙ୍କ ମାଡ଼ ମାରୁଛନ୍ତି। ରନ୍ଧା ଖାଦ୍ୟ ଫିଙ୍ଗି ଦେଉଛନ୍ତି। ଯେଉଁଥିପାଇଁ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ପାରିବାରିକ ତିକ୍ତତା ସୃଷ୍ଟି ବଢ଼ିଛି। ଖାଲି ମଦ ମୁନ୍ଦାଏ ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ଗାଁର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି।
ପାରିବାରିକ କଳହରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଦିନେ ଏକତ୍ର ହୋଇଥିଲେ। ପ୍ରଥମେ ମଦ ନବିକିବା ପାଇଁ ଭାଟି ମାଲିକଙ୍କୁ ଗୁହାରୀ କରିଥିଲେ। ମାତ୍ର ସେମାନେ କିଛି ଶୁଣିନଥିଲେ। ବରଂ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଭାଟି ମାଲିକଙ୍କଠାରୁ ନିରାଶ ହୋଇ ମହିଳାମାନେ ଟାଙ୍ଗୀ ଥାନାରେ ଗୁହାରୀ କରିଥିଲେ। ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ୍‌ ସବୁ ଶୁଣି, ପାଣିରେ ଝାଡ଼ ଔଷଧ ମିଶାଇ ନିଶାଡ଼ି ସ୍ୱାମୀ ଓ ପୁଅଙ୍କୁ ପିଇବାକୁ ଦେବା ପାଇଁ କହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ପୁଲିସଠାରୁ ନିରାଶ ହୋଇ ମହିଳାମାନେ ସଙ୍ଗଠିତ ହେଉଛନ୍ତି। ଘରକୁ ଘର ବୁଲି ମଦ ବନ୍ଦ କରିବା ପାଇଁ ଗାଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ମଦ ଭାଟି ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ଗାଁର ପ୍ରତିମା ଦେହୁରୀ କହିଛନ୍ତି, ଆମ ଗାଁରେ ମଦ ବନ୍ଦ ହେଉ। ମଦ ବେପାର ହେଉଥିବାରୁ ଅଳ୍ପ ବୟସ ପିଲାମାନେ ପିଇ ମରୁଛନ୍ତି। ମହିଳାମାନେ ବିଧବା ହେଉଛନ୍ତି। ଏନେଇ ଅଭିଯୋଗ କରିବା ପାଇଁ ଥାନାକୁ ଗଲେ ପୁଲିସ ଆଈ ମାଆ କାହାଣୀ କହୁଛି। ପୁଲିସ୍‌ କହୁଛି, ତୁମ ସ୍ୱାମୀ ଯଦି ମଦ ପିଇ ଆସୁଛି ତାଙ୍କୁ ପାଣିରେ ଝାଡ଼ା ମେଡିସିନ୍‌ ମିଶାଇ ଦେଇଦିଅ। ସେହି ପାଣିଲେ, ଝାଡ଼ା ହୋଇଗଲେ, ଆଉ ସେମାନେ ମଦ ପିଇବେ ନାହିଁ। ଆମେ ଯଦି ଝାଡ଼ା ମେଡିସନ୍‌ ଦେଇ ସ୍ୱାମୀଙ୍କୁ ଦୁର୍ବଳ କରିଦେବୁ, ତାହାହେଲେ ଚଳିବୁ କେମିତି? ଖାଇବୁ କଣ? ରହିବୁ କେମିତି? ଯଦି ତାଙ୍କ ଜୀବନ ଚାଲିଯାଏ? ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରତିମା କହିଛନ୍ତି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *