Spread the love

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ପୂର୍ବରୁ ଅପ୍ରତ୍ୟାଶିତ ଢଙ୍ଗରେ ବିଧାନସଭା ବାଚସ୍ପତିଙ୍କ ସମେତ ରାଜ୍ୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ନେଇ ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ଆଉ କିଛି ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ମନ୍ତ୍ରୀଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବା ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବାଚସ୍ପତି ପଦରୁ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଏବଂ ମନ୍ତ୍ରୀ ପଦରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଭିନ୍ନ ମହଲରେ ଅଙ୍କକଷା ଆରମ୍ଭ ହୋଇଛି । ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଥିବା ଗୋଟିଏ ମନ୍ତ୍ରୀ ପଦ ସହ ମୋଟ ୩ଟି ମନ୍ତ୍ରୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୋଟଧରଣର ସମ୍ପ୍ରସାରଣ କରିବେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଥିବାବେଳେ ଏବେ ଆଉ ୨ରୁ ୩ଜଣ ମନ୍ତ୍ରୀଙ୍କୁ ଭୁବନେଶ୍ୱର ନଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ସମ୍ପୃକ୍ତ ମନ୍ତ୍ରୀମାନଙ୍କୁ କେଉଁ କାରଣ ପାଇଁ ଭୁବନେଶ୍ୱର ନଛାଡ଼ିବାକୁ କୁହାଯାଇଛି ତାହା ଜଣାପଡ଼ିନି, ମାତ୍ର ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଏହି ମନ୍ତ୍ରୀମାନେ ନିଜ ପଦ ଯିବା ନେଇ ଛାନିଆରେ ରହିଛନ୍ତି । ଜଣେ ଯୁବ ମନ୍ତ୍ରୀ ଓ ଜଣେ ମହିଳା ମନ୍ତ୍ରୀଙ୍କୁ ଭୁବନେଶ୍ୱର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ତେବେ ବିଜେଡିର ଦୁଇଟି ଗୋଷ୍ଠୀ ଏବେ ନିଜ ନିଜର ଅନୁଗତଙ୍କୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ ଭିନ୍ନ ଭିନ୍ନ ଉପାୟରେ ଚାପ ପକାଇବାରେ ଲାଗିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ଆସିନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟ ବାହାରେ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଯଦି ସମୟ ନିର୍ଦ୍ଧାରିତ ହୁଏ, ତାଙ୍କର ଭୁବନେଶ୍ୱର ଫେରିବାରେ ସମସ୍ୟା ନାହିଁ । ନଚେତ୍ ରାଜ୍ୟପାଳ ୨୨ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ରାଜଭବନ ପକ୍ଷରୁ ଜଣାପଡ଼ିଛି ।
ସେହିପରି ଆଜିଠୁ ଭୁବନେଶ୍ୱରରୁ ଦୁବାଇରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେଉଥିବାବେଳେ ଦୁବାଇରେ ‘ଓଡ଼ିଶା ଦିବସ’ ସମାରୋହରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିନିଧି, ବିଜେଡି ବିଧାୟକମାନଙ୍କ ସମେତ ସରକାରୀ ଅଫିସରମାନେ ସାମିଲ ହେବାକୁ ଦୁବାଇ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ଦୁବାଇ ଗସ୍ତରେ ଯାଇଛନ୍ତି ଓ ସେ ୧୯ରେ ଫେରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମେ’ ୧୯ତାରିଖ ପରେ ଓ ମେ’ ୨୯ ତାରିଖ(ସରକାରର ୪ର୍ଥ ବର୍ଷ ପୂର୍ତ୍ତି ) ପୂର୍ବରୁ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ସେମାନଙ୍କ ପାଖରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରମ ଓ ନିଯୁକ୍ତି ବିଭାଗର ଦାୟିତ୍ୱ ଏବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ନ୍ୟସ୍ତ ହୋଇଛି । ତେବେ ନବୀନ ପଟ୍ଟନାୟକଙ୍କ ସ୍ଥିର ସରକାରରେ ବାରମ୍ବାର ବାଚସ୍ପତି ପରିବର୍ତ୍ତନ ହେବା ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *