Spread the love

ମୁମ୍ବାଇ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ବିରୋଧୀ ଏକତା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରେ ନୀତୀଶ କୁମାର ତାଙ୍କ ସହଯୋଗୀଙ୍କ ସହ ଗୁରୁବାର ମୁମ୍ବାଇରେ ପହଞ୍ଚି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ନୀତୀଶ କୁମାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଶରଦ ପାୱାର ୨୦୨୪ରେ ବିରୋଧୀ ଦଳର ମୁଖ୍ୟ ଚେହେରା ହୁଅନ୍ତି ତେବେ ସେ ଖୁସି ହେବେ ।
ଶରଦ ପାୱାରଙ୍କ ସହ ବୈଠକ ପରେ ଦୁହେଁ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ବିରୋଧୀ ମେଣ୍ଟର ମୁଖ୍ୟ ଚେହେରା ହେବେ ଏବଂ ତାଙ୍କ ନେତୃତ୍ୱରେ ଏକାଠି ନିର୍ବାଚନ ଲଢାଯିବ କି ବୋଲି ସାମ୍ବାଦିକମାନେ ନୀତୀଶଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଛନ୍ତି ଯେ ଏହାଠାରୁ ବଡ଼ ଖୁସି ଆଉ କିଛି ହୋଇପାରିବ ନାହିଁ। ନୀତୀଶଙ୍କ ଉତ୍ତରରେ ଶରଦ ପାୱାର ମଧ୍ୟ ହସିଥିଲେ।

ନୀତୀଶ କହିଛନ୍ତି ଯେ, ଶରଦ ପାଓ୍ବାର ଯେତେବେଳେ ନିଜ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ, ସେତେବେ​ଳେ ସମସ୍ତଙ୍କୁ ଖରାପ ଲାଗିଥିଲା । କିନ୍ତୁ ଏବେ ସେ ଇସ୍ତଫା ପ୍ରତ୍ୟାହାର କରିବା ପରେ ଆମେ ତାଙ୍କୁ କହିଛୁ ଯେ ସେ ପୂରା ଶକ୍ତିର ସହ ନିଜ ଦଳ ଓ ଦେଶ ପାଇଁ କାମ କରନ୍ତୁ ।

Leave a Reply

Your email address will not be published. Required fields are marked *