Spread the love

ଭୁବନେଶ୍ବର: କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦା‌ୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଦେବା ପ୍ରସଙ୍ଗରେ ବିଜେପିର ଆଭ୍ୟନ୍ତରୀଣ ଛକାପଞ୍ଝା ପଦାକୁ ଆସିଛି। ଆଜି (ମଙ୍ଗଳବାର) ସକାଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ପତ୍ର ଲେଖିଥିବା ବେଳେ ସନ୍ଧ୍ୟାରେ ଏଏସ୍‌ଆଇ ବିଜ୍ଞପ୍ତି ଜାରି କରିସାରିଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌ ରାଜନୈତିକ ମହଲକୁ ଖୋରାକ ଯୋଗାଇଛି। କେବଳ ସେତିକି ନୁହେଁ, ବିଜେଡି ଭିତରେ ଯେ ସବୁକିଛି ଠିକ୍‌ ଠାକ୍ ଚାଲିନାହିଁ, ଏ ନେଇ ବେଶ୍ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାକୁ ବଳ ମିଳିଛି।

ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି କପିଳେଶ୍ବର ମନ୍ଦିରର ସଂରକ୍ଷଣ ଓ ଉନ୍ନତି ଦାୟିତ୍ବ ଏଏସ୍‌ଆଇକୁ ଦେବା ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ ପ୍ରାୟ ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ତା’ର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ। ଏହି ଶୈବପୀଠଟି ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ। ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ। ମନ୍ଦିରର ଚତୁଃପାର୍ଶ୍ୱ ଜବରଦଖଲ ହୋଇଥିବାବେଳେ ସେଠାରେ ଆବର୍ଜନା ଏବଂ ଡ୍ରେନ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି। ଏହାବ୍ୟତିତ ଧ୍ୱନୀ ପ୍ରଦୂଷଣ ଓ ବିଶୃଙ୍ଖଳା ଯୋଗୁଁ ମନ୍ଦିର ପ୍ରାଙ୍ଗଣର ପବିତ୍ରତା କ୍ଷୟ ହେବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏଏସ୍‌ଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ସାମିଲ୍‌ କରାଯାଉ।

ସନ୍ଧ୍ୟାରେ ଏ ସଂକ୍ରାନ୍ତ ଖବର ଗଣମାଧ୍ୟମରେ ଆସିବା ପରେ ପ୍ରସଙ୍ଗଟି ନାଟକୀୟ ମୋଡ଼ ନେଇଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ଏକ ଟୁଇଟ୍‌ କରିଛନ୍ତି। ଏଥିରେ କପିଳେଶ୍ବର ମନ୍ଦିର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅପରାଜିତା ଲେଖିଛନ୍ତି ଯେ ତାଙ୍କ ଉଦ୍ୟମ ଯୋଗୁ ହିଁ କପିଳେଶ୍ବର ମନ୍ଦିର ଏଏସ୍‌ଆଇ ଅଧୀନକୁ ଯାଉଛି। କପିଳେଶ୍ବର ମନ୍ଦିର ଦାୟିତ୍ବ ଏଏସ୍‌ଆଇ ନେଉ ବୋଲି ସେ ହିଁ ଅପ୍ରେଲ ୩ରେ ଚିଠି ଲେଖିଥିଲେ ଓ ଏହା ପରଦିନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ। ମନ୍ଦିରର ପୂଜକ ଓ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ସେ କପିଳେଶ୍ବର ମନ୍ଦିର ବୁଲିବା ସହ ଏହାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଥିଲେ।

ଏହାପରେ ସଂସ୍କୃତି ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେଇଛନ୍ତି। ଏଥିସହିତ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା, ମନ୍ଦିର ବୁଲିବାର ଫଟୋ ବି ଅପରାଜିତା ଟୁଇଟ୍ କରିଛନ୍ତି। ‌ସବୁଠାରୁ ବଡ଼ କଥା ହେଉଛି, ମେ’ ୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କପିଳେଶ୍ବର ମନ୍ଦିରକୁ ରାଷ୍ଟ୍ରୀୟ ମହତ୍ତ୍ବ ଘୋଷଣା କରିବା ସହ ଏଏସ୍‌ଆଇ ଅଧୀନକୁ ଆଣିବା ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଜାରି କରିସାରିଛନ୍ତି। ଏନେଇ କାହାର କିଛି ଅଭିଯୋଗ ଥିଲେ ୨ମାସ ମଧ୍ୟରେ ଜଣାଇବାକୁ ଆବେଦନ ଆହ୍ବାନ କରିଛନ୍ତି। ଏ କଥା ମଧ୍ୟ ଅପରାଜିତା ଟ୍ବିଟ୍‌ରେ ଦର୍ଶାଇଛନ୍ତି।

ପ୍ରଶ୍ନ ଉଠୁଛି, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଗେଜେଟ୍‌ ବିଜ୍ଞପ୍ତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଅବଗତ ନଥିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି?

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କପିଳେଶ୍ବର ମନ୍ଦିରରେ ସେବାୟତଙ୍କ ବିବାଦ ଯୋଗୁ ପ୍ରଭୁ କପିଳେଶ୍ବରଙ୍କର ୧୦ଦିନ ଧରି ପୂଜାର୍ଚ୍ଚନା ବନ୍ଦ ହୋଇଥିଲା ଓ ଠାକୁରେ ଉପାସରେ ଥିଲେ। ସେତେବେଳେ ବିଜେପି ନେତା‌ମାନେ ଏହାର ସମାଧାନ ପାଇଁ କୌଣସି ଉଦ୍ୟମ କରିନଥିଲେ।

Leave a Reply

Your email address will not be published. Required fields are marked *