Spread the love

ଚେନ୍ନାଇ : ଚେନ୍ନାଇର ଗୋଟିଏ ପରୀକ୍ଷା ହଲ୍‌ରେ ବ୍ରା ବା ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍‌ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନି। ସେମାନଙ୍କୁ ପରୀକ୍ଷା ହଲରେ ବଳ ପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି।
ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଜଣେ ମହିଳା ସାମ୍ବାଦିକ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଟ୍ୱିଟ କରି ଅବଗତ କରାଇଛନ୍ତି। ସାମ୍ବାଦିକ ଜଣଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ଅନୁରୋଧ କରି କହିଛନ୍ତି ଯେ ରବିବାର ଚେନ୍ନାଇର ଗୋଟିଏ କେନ୍ଦ୍ରରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେ ସେଠାକୁ ଯାଇଥିବା ବେଳେ ଜଣେ ଛାତ୍ରୀ ଗୋଟିଏ କୋଣରେ ତଳକୁ ମୁହଁ ପୋତି ବସିବା ସହ ବହି ଧରିଥିଲେ। ଏହା ଦେଖି ମହିଳା ସାମ୍ବାଦିକ ଜଣଙ୍କ ତାଙ୍କ ପାଖକୁ ଯାଇ କ’ଣ ହୋଇଛି ବୋଲି ପଚାରିଥିଲେ।
ଛାତ୍ରୀ ଜଣଙ୍କ ଏହାର ଜବାରେ କହିଥିଲେ ଯେ ପରୀକ୍ଷାରେ ବସିବା ବେଳେ ତାଙ୍କୁ ବ୍ରା ନ ପନ୍ଧିବାକୁ କୁହାଯାଇଥିଲା। ଏଥିପାଇଁ ସେ ଲଜ୍ଜାବୋଧ କରୁଛନ୍ତି। ଏହା ଶୁଣି ସାମ୍ବାଦିକ ଜଣଙ୍କ ତାଙ୍କୁ ନିଜ ଷ୍ଟଲ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ବେଶ ନମ୍ର ଭାବେ ଏହାକୁ ମନା କରିବା ସହ ତାଙ୍କୁ ନେବା ପାଇଁ ତାଙ୍କ ଭାଇ ଆସୁଥିବା କହିଥିଲେ।
ତେବେ ସାମ୍ବାଦିକଙ୍କ ଏପରି ଟ୍ୱିଟକୁ କିଛି ଲୋକ ବିରୋଧ କରିବା ସହ ଏହାକୁ ଡିଲିଟ କରିବାକୁ କହିଛନ୍ତି। ଏହାପରେ ମହିଳା ସାମ୍ବାଦିକ ଜଣଙ୍କ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ପରୀକ୍ଷା ଦେବାକୁ ଆସିଥିବା ଅଧାରୁ ଅଧିକ ଛାତ୍ରୀ ବ୍ରା ପିନ୍ଧି ନଥିଲେ। ସେମାନଙ୍କୁ ପରୀକ୍ଷା ଦେବା ପାଇଁ ବ୍ରା ଖୋଲିବାକୁ କୁହାଯାଇଥିଲା।ଯେଉଁମାନେ ମୋତେ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି, ସେମାନେ ପ୍ରଥମେ ପରୀକ୍ଷା ବେଳେ ବ୍ରା ପିନ୍ଧିବାର ଅନୁମତି ଥିଲା କି ନାହିଁ ସେକଥା ବୋର୍ଡକୁ ପଚାରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ରବିବାର ତାମିଲନାଡୁର ପ୍ରାୟ ୧.୫ ଲକ୍ଷ ଶିକ୍ଷାର୍ଥୀ ନିଟ୍‌ ପରୀକ୍ଷା ଦେଇଛନ୍ତି। ଘଟଣା ସମ୍ପର୍କରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ କହିଛନ୍ତି ଯେ ଏପରି କାର୍ଯ୍ୟକଳାପକୁ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିନ୍ଦା କରି ସାରିଛନ୍ତି। ନିଟ୍‌ ବେଳେ ପରୀକ୍ଷା ପର୍ଯ୍ୟବେକ୍ଷକ ଯେଉଁ ଭଳି ଭାବେ ଛାତ୍ରୀମାନଙ୍କ ହେୟାର ପିନ୍‌ ଓ ଡ୍ରେସ ଖୋଲି ଚେକିଂ କରୁଛନ୍ତି, ତାକୁ ମହେଶ ମଧ୍ୟ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *