Spread the love

ବେଙ୍ଗାଲୁରୁ : ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରେ ଆଜି ପ୍ରଥମଥର ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେ ନିଜର ପ୍ରଥମ କର୍ଣ୍ଣାଟକା ନିର୍ବାଚନ ପ୍ରଚାରରେ ବିଜେପି ଉପରେ ବର୍ଷିବା ସହ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ବିଜେପିର ଲୁଟ ଓ ଘୃଣା ପରିବେଶକୁ ବନ୍ଦ ନ କରିବା ଯାଏ କର୍ଣ୍ଣାଟକା କିମ୍ବା ଦେଶର ବିକାଶ ହୋଇପାରିବ ନାହିଁ ବୋଲି ସୋନିଆ କହିଛନ୍ତି।
ହୁବ୍ବାଲ୍ଲିରେ ବିଜେପି ଟିକେଟ ନ ପାଇ କଂଗ୍ରେସକୁ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ସୋନିଆ ଗାନ୍ଧି ପ୍ରଚାର କରି କହିଛନ୍ତି, “ବିଜେପି ଲୋକଙ୍କୁ ଧମକାଉଛି। ବିଜେପି କହୁଛି ଯେ ଯଦି ସେମାନେ ଏଠାରେ ନ ଜିତିବେ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦରୁ ବଞ୍ଚିତ ହେବେ।
ନେତାଙ୍କ ଭାଗ୍ୟ ଲୋକମାନେ ନିର୍ଦ୍ଧାରଣ କରନ୍ତି। ବିଜେପିର ଲୁଟକୁ ବନ୍ଦ କରିବା ପାଇଁ ମେ’ ୧୦ରେ ଦୟା କରି କଂଗ୍ରେସକୁ ଭୋଟ ଦିଅନ୍ତୁ। ଆମକୁ ଗୋଟିଏ ଥର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ଦିଅନ୍ତୁ।”
ବିଜେପି ନେତୃତ୍ୱଧୀନ ସରକାର ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣି ପ୍ରଚାର କରୁଛି। ଏହାକୁ ଦୋହରାଇ ସୋନିଆ ଗାନ୍ଧି କହିଛନ୍ତି, “କର୍ଣ୍ଣାଟକାକୁ କମିସିନ ଓ ଦୁର୍ନୀତିରୁ ମୁକ୍ତ କରିବା। ୫ ବର୍ଷ ତଳେ କଂଗ୍ରେସ କର୍ଣ୍ଣାଟକା ପାଇଁ କଠିନ ପରିଶ୍ରମ କରିଥିଲା। ହିମାଚଳ ପ୍ରଦେଶରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ଲାଗିଛୁ।
କର୍ଣ୍ଣାଟକାରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ମୁଁ ଦୋହରାଇବାକୁ ଚାହୁଁନି। କିନ୍ତୁ ମୋ ଗୋଟିଏ କଥା ନିଶ୍ଚିତ କରିବାକୁ ଚାହୁଁଛି ଯେ କଂଗ୍ରେସ ସବୁ ପ୍ରତିଶ୍ରୁତି ପୂରଣ କରିବ। ଆପଣମାନଙ୍କ ପାଇଁ ହୃଦୟ ଦେଇ କାମ କରିବୁ। ସେମାନେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ ନାହିଁ। ସେମାନେ ସଂସଦର ମଧ୍ୟ ସମ୍ମାନ କରୁନାହାନ୍ତି। ସେମାନେ ଭାବୁଛନ୍ତି ସବୁ କିଛି ସେମାନଙ୍କର ପକେଟରେ ରହିଛି।”
ହୁବ୍ବାଲ୍ଲୀ ହେଉଛି ବିଜେପିର ଗଡ଼। ଏଠାରେ ବିଜେପି ବିଦ୍ରୋହୀ ଜଗଦୀଶଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ହେଲେ ବିଜେପି ଏଠାରେ ମହେଶ ତେଙ୍ଗିନକାଇଙ୍କୁ ଟିକେଟ ଦେଇଛି। ତେଣୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ହୁବ୍ବାଲି ଏବେ ସମ୍ମାନର ଲଢ଼େଇ ହୋଇଯାଇଛି।

Leave a Reply

Your email address will not be published. Required fields are marked *