Spread the love

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ସମ୍ପୃକ୍ତ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଦିଲ୍ଲୀର ଏକ ଅଦାଲତ ସିସୋଦିଆଙ୍କ ହାଜତ ମିଆଦ ମେ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହି ମାମଲାରେ ସିସୋଦିଆଙ୍କର ସମ୍ପୃକ୍ତି ଖୁବ୍‌ ଅଧିକ ବୋଲି ପ୍ରାଥମିକ ପ୍ରମାଣଗୁଡ଼ିକରୁ ସୂଚନା ମିଳିଥିବା ଦର୍ଶାଇ ଏପ୍ରିଲ୍‌ ୨୮ ତାରିଖ ଦିନ ଦିଲ୍ଲୀ ଅଦାଲତ ତାଙ୍କୁ ଜାମିନ ଦେବାକୁ ଅଗ୍ରାହ୍ୟ କରିଦେଇଥିଲେ।

ସ୍ତ୍ରୀ ଅସୁସ୍ଥ ଥିବାରୁ ସିସୋଦିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ନିମନ୍ତେ ଆବେଦନ କରିଛନ୍ତି। ଏପ୍ରିଲ୍‌ ୨୫ ତାରିଖ ଦିନ ତାଙ୍କ ସ୍ତ୍ରୀ ସୀମା ସି‌ସୋଦିଆ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ବୋଲି ‘ପିଟିଆଇ’ ରିପୋର୍ଟ କରିଥିଲା।

‘ଅଟୋଇମ୍ୟୁନ୍‌ ଡିଜ୍‌ଅର୍ଡର୍‌’ ରୋଗରେ ଆକ୍ରାନ୍ତ ହୋଇ ସିସୋଦିଆଙ୍କ ସ୍ତ୍ରୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଶରୀରର ପରୀକ୍ଷାନିରୀକ୍ଷା ମଧ୍ୟ କରାଯାଉଛି। (ଏହି ରୋଗରେ ଶରୀରର ସ୍ବୟଂକ୍ରିୟ ରୋଗ ପ୍ରତିରୋଧକ ଶକ୍ତି ନିଜ ସୁସ୍ଥ ଟିସ୍ୟୁଗୁଡ଼ିକୁ ଭୁଲ୍‌ରେ ବହିରାଗତ ଟିସ୍ୟୁ ମନେକରି ଆକ୍ରମଣ କରି ଶରୀରକୁ ଅସୁସ୍ଥ କରିପକାଏ।)

୨୦୦୦ ମସିହାରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୨୩ ବର୍ଷ ହେବ ଉପରୋକ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଛନ୍ତି। ଶାରୀରିକ ଓ ଆବେଗିକ ଚାପ ବୃଦ୍ଧି ପାଇ‌ଲେ ଏହି ରୋଗର ପ୍ରକୋପ ବୃଦ୍ଧି ପାଇଥାଏ ବୋଲି ତଥ୍ୟ ସଂଗ୍ରହ କରି ‘ପିଟିଆଇ’ ରିପୋର୍ଟ କରିଛି।

ସ୍ମରଣଯୋଗ୍ୟ, ଗତ ଫେବ୍ରୁ୍ଆରି ମାସରେ ସିସୋଦିଆଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ସିସୋଦିଆଙ୍କ ବାସଭବନକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଭେଟି ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *