Spread the love

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ ନକଲି ଆଦିବାସୀ ପ୍ରଧାନଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆବର୍ଗର ବୋଲି ଜଣାପଡ଼ିବା ଓ ନକଲି ଆଦିବାସୀ ବୋଲି ପ୍ରମାଣିତ ହେବା ପରେ ନକଲି ଆଦିବାସୀ ଚାକିରିଆଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି।
ପ୍ରକାଶ ଯେ, କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତ ପିପଲପଦର ଗ୍ରାମର (ସିଙ୍ଗାରିବାହାଲ)ର ଗନ୍ଧର୍ବ ସାହୁ (୫୯) ପିତା ସ୍ୱର୍ଗତ ଧର୍ମୁ ସାହୁ ୧୯୬୩ରୁ ନିଜକୁ କନ୍ଧ ସମ୍ପ୍ରଦାୟର ବୋଲି ନିଜ ନାମକୁ ଗନ୍ଧର୍ବ ମାଝୀ, ପିତା ମାଲସାଏ ମାଝୀ ଦର୍ଶାଇ ଶିକ୍ଷକତା କରିଆସୁଥିଲେ। ତେବେ କେସିଙ୍ଗା ତହସିଲଦାର ଗନ୍ଧର୍ବ ମାଝୀ ନାମକ ଶିକ୍ଷକ (ତେଲି) ପଛୁଆବର୍ଗର ହୋଇଥିବାରୁ ତାଙ୍କ ଆଦିବାସୀ ଜାତି ପ୍ରମାଣ ପତ୍ରକୁ ଖାରଜ କରିଥିବା ନେଇ ଏକ ଦସ୍ତାବିଜ ଜିଲ୍ଲା ଆଦିବାସୀ ଯୁବ ସଂଗଠନ ସଭାପତି ଗଜପତି ମାଝୀ ଓ କର୍ଲାମୁଣ୍ଡା ବ୍ଲକ ଆଦିବାସୀ ଯୁବ ସଂଗଠନ ସଭାପତି ନନ୍ଦିକିଶୋର ଭୋଇଙ୍କୁ ଦେଇଥିଲେ। ଏହା ପରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଓ କର୍ଲାମୁଣ୍ଡା ଯୁବ ଆଦିବାସୀ ସଂଘ ସଭାପତି ନନ୍ଦିକିଶୋର ଭୋଇ ଉକ୍ତ ନକଲି ଆଦିବାସୀ ଶିକ୍ଷକଙ୍କୁ ବହିଷ୍କାର ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଇଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।
ତେବେ ଏ ସମ୍ପର୍କରେ ବିଇଓଙ୍କୁ ପଚାରିବାରୁ ସରକାରଙ୍କ ନିୟମ ରହିଛି ଏବଂ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ନକଲି ଆଦିବାସୀ ଶିକ୍ଷକ ଗନ୍ଧର୍ବ ମାଝୀଙ୍କ ବିରୋଧରେ ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଆଦିବାସୀ ଯୁବ ସଂଗଠନ ଓ ଜିଲ୍ଲା ଆଦିବାସୀ ସଂଘ ଚେତାବନୀ ଦେଇଛି। ସୂଚନାଥାଉକି ଗନ୍ଧର୍ବ ମାଝୀ ବର୍ତ୍ତମାନ କର୍ଲାମୁଣ୍ଡା ବ୍ଲକ ରେଗଡ଼ା​ ସ୍ଥିତ ଜଗଦୀଶ ମଧ୍ୟ ଇଂରାଜୀ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଦିନକ ପରେ ଅର୍ଥାତ୍ ଅପ୍ରେଲ ୩୦ ତାରିଖ ଅବସରଗ୍ରହଣ କରିବେ। ତେବେ ଅବସରର ଦିନକକୁ ପୂର୍ବରୁ ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ସାଜିଛି।

Leave a Reply

Your email address will not be published. Required fields are marked *