Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ସମେତ ଅନେକ ଏଜେନ୍ସି କହୁଛନ୍ତି ଯେ ଭାରତ ପୁଣି ଥରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ । କିନ୍ତୁ ପାଣିପାଗର ଏକ ଅବସ୍ଥା ଭାରତର ସବୁ ଖୁସିକୁ ପାଣିଚିଆ କରିପାରେ । ତାହା ହେଉଛି ଏଲ ନିନୋ ।
କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଅଂଚଳରେ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧିକୁ ଏଲ ନିନୋ ବୋଲି କୁହାଯାଏ । ଏହା ଏକ ସ୍ପାନିସ ଶବ୍ଦ ଓ ଏହାର ଅର୍ଥ ହେଉଛି ଛୋଟ ବାଳକ ।
ଏହି କାରଣରୁ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ୪-୫ ଡିଗ୍ରୀ ଅଧିକ ହୋଇଯାଏ । ଏହି ଗରମ ସମୁଦ୍ରରେ ପ୍ରବାହିତ ହେଉଥିବା ପବନର ପଥ ଓ ବେଗକୁ ବଦଳାଇ ଦେଇଥାଏ ଏବଂ ପାଣିପାଗ ଚକ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥାଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଏଲ୍ ନିନୋର ବଡ଼ ପ୍ରଭାବ ପଡ଼ିଛି। ଏହାର ପ୍ରଭାବରୁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ମୌସୁମୀକୁ ପ୍ରଭାବିତ କରିପାରେ। ପାଣିପାଗ ବିଭାଗ ସ୍ୱାଭାବିକ ମୌସୁମୀ ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ସ୍ୱାଭାବିକଠାରୁ କମ୍ ମୌସୁମୀ ହେବ ବୋଲି ପୂର୍ବାନୁମାନ କରିଛି। ମୌସୁମୀ ଦେଶର କୃଷି କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ୬୦ ପ୍ରତିଶତ ଲୋକଙ୍କ ଜୀବିକା କୃଷି ଉପରେ ନିର୍ଭର କରେ ଏବଂ ଜିଡିପିରେ ଏହାର ଯୋଗଦାନ ୧୮ ପ୍ରତିଶତ ।

Leave a Reply

Your email address will not be published. Required fields are marked *