Spread the love

ଦେଶର ରାଜଧାନୀ ଦିଲ୍ଲୀ ପାଇଛି ନୂଆ ମେୟର। ମେୟର ରେସ୍‌ରୁ ବିଜେପି ହଟିଯିବା ପରେ ଆପ୍‌ ହାତେଇ ନେଇଛି ଏହି ବହୁ ପ୍ରତିକ୍ଷୀତ ସିଟ୍‌ । ଆପ୍‌ ପ୍ରାର୍ଥୀ ଡା. ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଭାଜପା ନିଜ ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଆପ୍‌ର ଡା. ଶେଲି ଓବରୟ ନିର୍ଦ୍ୱନ୍ଦ୍ୱରେ ଆଜି ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ବହୁ ବିବାଦ ପରେ ଶେଷରେ ଦିଲ୍ଲୀ ପାଇଛି ନୂଆ ମେ୍ୟର ।
ଶେଲି ଓବରୟ ୨୨ ଫେବୃୟାରୀରେ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ବିଜେପିର ରେଖା ଗୁପ୍ତାଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା। ମୋଟ ୨୬୬ ଖଣ୍ଡ ଭୋଟ ମଧ୍ୟରୁ ଡା. ଶେଲିଙ୍କୁ ୧୫୦ ଭୋଟ ମିଳିଥିବା ବେଳେ ରେଖାଙ୍କୁ ୧୧୬ ଖଣ୍ଡ ଭୋଟ ମିଳିଥିଲା।ଏହାପରେ ଚଳିତ ଆର୍ଥିକ ବର୍ଷରେ ବି ସେ ମେୟର ଦୌଡ଼ରେ ଥିବା ବେଳେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଦିଲ୍ଲୀ ଡେପୁଟି ମେୟର ପଦ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୋନି ପାଣ୍ଡେ ନିଜ ନାମ ଫେରାଇ ନେବା ପରେ ଆପ୍‌ର ଆଲେ ମୋହମ୍ମଦ ଏହି ସିଟ୍‌ ହାସଲ କରିଛନ୍ତି ।
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ମେୟର ନିର୍ବାଚନରୁ ଦିଲ୍ଲୀ ବିଜେପି ପଛକୁ ହଟିବାକୁ ନିଷ୍ପତ୍ତି ନେବା ପଛର କାରଣ ସମ୍ପର୍କରେ ପଚରାଯିବାରୁ ଦଳ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦେଇଛି। ଦଳ କହିଛି, ଆମର ସମସ୍ତ ଉଦ୍ୟମ ସତ୍ତ୍ୱେ ଆମ୍ ଆଦମୀ ପାର୍ଟି ସ୍ଥାୟୀ କମିଟି ଏବଂ ୱାର୍ଡ କମିଟି ଗଠନ କରିବାକୁ ସୁଯୋଗ ଦେଉ ନାହିଁ। ଫଳରେ ମ୍ୟୁନିସିପାଲିଟି ଅଧୀନରେ କୌଣସି ଉନ୍ନୟନମୂଳକ କାମ ହୋଇପାରୁନି। ତେଣୁ ଆମେ ଏହି ନିର୍ବାଚନରେ ପଛକୁ ହଟିବାକୁ ନିଷ୍ପତ୍ତି ନେଇଛୁ।
ଆପ୍‌ର ଶେଲି ଓବରୟ ଓ ଆଲେ ମୋହମ୍ମଦ ମେୟର ଓ ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋକଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରିବାକୁ ସେ ଉପଦେଶ ଦେଇଛନ୍ତି। ଏଥିସହ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଥିବାରୁ ଶୁଭ କାମନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଶେଲି ଓବରୟ କହିଛନ୍ତି, ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଦିଲ୍ଲୀ ପାଇଁ କାମ କରିବି । ଫଳରେ ଆମେ ଦିଲ୍ଲୀକୁ ଏକ ନୂଅ ରୂପ ଦେବାକୁ ସକ୍ଷମ ହୋଇପାରିବା ।
ମେୟର ପଦ ଆପ୍‌ ହାତକୁ ଯିବା ପରେ ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ଭାଜପା ଉପରେ ଆଟାକ୍‌ କରାଯାଇଛି। ପ୍ରଥମ ଥର ପାଇଁ ଭାଜପା ସମର୍ପଣ କରିଥିବା ଆପ୍‌ ବିଧାୟକ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତି ଆର୍ଥିକ ବର୍ଷରେ ଦିଲ୍ଲୀର ମେୟର ପରିବର୍ତ୍ତନ ହୋଇଥାନ୍ତି। ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଥମ ବର୍ଷ ମହିଳାଙ୍କ ପାଇଁ ସଂରକ୍ଷିତ ରହୁଥିବା ବେଳେ ଦ୍ୱିତୀୟ ବର୍ଷ ସମସ୍ତଙ୍କ ପାଇଁ ଖୋଲା ଥାଏ । ତୃତୀୟ ବର୍ଷ ମେୟର ପଦ ସଂରକ୍ଷିତ ରହୁଥିବା ବେଳେ ଶେଷ ୨ ବର୍ଷ ପୁଣି ସବୁ ବର୍ଗଙ୍କ ପାଇଁ ଖୋଲାଥାଏ । ଫଳରେ ଦିଲ୍ଲୀବାସୀ ସବୁ ବର୍ଷ ପାଇଥାନ୍ତି ନୂଆ ମେୟର ।

Leave a Reply

Your email address will not be published. Required fields are marked *