Spread the love

ଖଣ୍ଡପଡ଼ା/ଭାପୁର: ଗଛମୂଳେ ଆଶ୍ରୟ ନେଇଥିଲା ବେଳେ ଆକାଶରୁ ବଜ୍ର ଖସିଛି ଏଥିରେ ୫ମ ‌ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ନୟାଗଡ ଜିଲ୍ଲା ଭାପୁର ପଞ୍ଚାୟତ ଅଧୀନ ଭାଲୁଖାଇ ଗ୍ରାମରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ର ଉକ୍ତ ଗ୍ରାମର ନରେଶ ନାୟକଙ୍କର ପୁଅ ସର୍ବେଶ୍ଵର ନାୟକ (୧୦)। ଆହତ ଦୁଇ ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ (୧୨)।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ହେଉଥିବା ବେଳେ ସେଠାରେ ବହୁ ଲୋକ ଜମା ହୋଇଥିଲେ। ତେବେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗଛ ମୂଳରେ ସମସ୍ତେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅକସ୍ମାତ ବଜ୍ରାଘାତ ଯୋଗୁଁ ସର୍ବେଶ୍ଵର ଟଳି ପଡିଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ନେଇ ସୂଚନା ମିଳିଛି। ପରିବାର ଲୋକେ ସର୍ବେଶ୍ଵରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୁରୁତର ଆହତ ଅନ୍ୟ ଦୁଇ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *