Spread the love

କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁନି। ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଥିବା ଗୋଟିଏ ପୁଲିସ ଷ୍ଟେସନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ଏହି ଅଞ୍ଚଳର ଗୋଟିଏ କେନାଲରୁ ଜଣେ ଦଳିତ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାକୁ ବିରୋଧ କରି ଆନ୍ଦୋଳନ କରୁଥିବା କିଛି ଲୋକ ଆଜି ଥାନାରେ ନିଆଁ ଲଗାଇ ଦେଇଛନ୍ତି।
ଆଦିବାସୀ ଓ ରାଜବଙ୍ଗଶି ସଂପ୍ରଦାୟର ଲୋକମାନେ ମଙ୍ଗଳବାର ମଧ୍ୟାହ୍ନରେ ଥାନା ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲେ ହେଁ ପୁଲିସ୍‌ ତା’ର ତଦନ୍ତ ପ୍ରକ୍ରିୟାଙ୍କୁ ତ୍ୱରାନ୍ୱିତ କରୁ ନଥିବାରୁ ଏପରି ଘେରାଉ ଯୋଜନା ହୋଇଥିଲା।
ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇ ଥାନା ଘେରାଉ କରିଥିଲେ। ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ୍‌ ବାଧ୍ୟ ହୋଇ ଲାଠିମାଡ଼ କରିଥିଲା। ତଥାପି ବିକ୍ଷୋଭକାରୀମାନେ ଥାନା ଭିତରେ ପ୍ରବେଶ କରିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ।
ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ହିଂସା ଉଗ୍ର ଧାରଣ କରିଥିବାରୁ ଅଧିକ ସଂଖ୍ୟକ ପୁଲିସ୍‌ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।
ଏହାପୂର୍ବରୁ ଆଜି ଉତ୍ତର ଦିନାଜପୁର ଜିଲ୍ଲା ମୁଖ୍ୟାଳୟ ରାଇଗଞ୍ଜରେ ଥିବା ଏସ୍‌ପି ଅଫିସକୁ ମଧ୍ୟ ବିକ୍ଷୋଭକାରୀ ଘେରାଉ କରିଥିଲେ। ଏହି ଆନ୍ଦୋଳନକୁ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା। ଆନ୍ଦୋଳନକାରୀ ଏସ୍‌ପି ଅଫିସ ଘେରାଉ କରିବା ବେଳେ ପ୍ରବଳ ଟେକାପଥର ମାଡ଼ କରିଥିଲେ। ଏଥିପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଲାଠି ଚାର୍ଜ କରିଥିଲା।
ଶାସକ ଟିଏମସି ପକ୍ଷରୁ କୁହାଯାଉଛି ଯେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କଥା କହି ବିଜେପି ଲୋକଙ୍କୁ ଉସକାଉଛି। ଏଥିସହ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛି। ବିଜେପି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହୁଥିଲେ ହେଁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅଲଗା ତଥ୍ୟ ଆସିଛି। ନାବାଳିକା ଜଣଙ୍କ କୌଣସି ବିଷାକ୍ତ ଜିନିଷ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି।

ଏପ୍ରିଲ ୨୧ରେ ଜଣେ ୧୭ ବର୍ଷୀୟ ଆଦିବାସୀ ଝିଅର ମୃତଦେହ କଲିୟାଗଞ୍ଜର ଗୋଟିଏ କେନାଲରୁ ମିଳିଥିଲା। ଏହାପରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିଲେ। ଏହି ସମୟରେ କିଛି ଦୋକାନରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ।

ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା। ସେହିପରି ନାବାଳିକାଙ୍କ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ୪ ଜଣ ସବ ଇନ୍ସପେକ୍ଟରଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *