Spread the love

ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖରାଛୁଟି ଘୋଷଣା ଏବଂ ଏହି ସମୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବାକୁ ନେଇ କିଛିଟା ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ନଜରକୁ ଆସିଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ପୂର୍ବ ନିର୍ଦ୍ଦେଶ ମୁକାବକ ସଂଶୋଧିତ ସମୟ ସୀମା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟଦିବସରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି।
ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବା ସମୟରେ ପରିବର୍ତ୍ତନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଗ୍ରୀଷ୍ମ ପ୍ରବାହ ପ୍ରୋଟୋକଲ ପାଳନ କରି ଖୋଲା ରହିବ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି।
ସୂଚନା ଥାଉକି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକର ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଚଳିତ ଏପ୍ରିଲ ୨୧ରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲ ଗୁଡିକ ଖୋଲାଯିବ ବୋଲି ଗତ ୨୦ ତାରିଖରେ ଘୋଷଣା ହୋଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଥିଲା।
ଯେତେବେଳେ କି ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ବୋଲି ଚଳିତ ମାସ ୧୬ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *