Spread the love

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ କରାଯାଇଛି।
ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ବହୁ ଭାଷାଭାଷୀ ଫଟୋଚିତ୍ର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠ୍ୟ ଖସଡା ପ୍ରସ୍ତୁତ କରିବେ। ଏହା ଦ୍ୱାରା ‘କୁଇ ତଥା ଦେଶୀଆ’ ଭାଷାରେ କଥା ହେଉଥିବା ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ବଢିବ ଓ ସୃଜନଶୀଳତା ବିକଶିତ ହେବ।
ଉକ୍ତ କମିଟିରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରୋଜେକ୍ଟ ଡାରେକ୍ଟର ପ୍ରଫେସର ବିକେ ପଣ୍ଡା, ଏନ୍‌ସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପି. ବେହେରା, କେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ଅଧ୍ୟାପକ ରୁଦ୍ରାଣୀ ମହାନ୍ତି ଓ କପିଲ ଖେମଣ୍ଡୁ, ରାଜେନ୍ଦ୍ର ପାଢୀ, ଗୋପବନ୍ଧୁ ମହାନ୍ତି, ଡ. ସୁବ୍ରତ ପୃଷ୍ଟି, ଡ. ମହେନ୍ଦ୍ର ମିଶ୍ର, ଦିଲେଶ୍ୱର ରମା ଏବଂ ଆରଆଇଇ ପ୍ରନ୍ସିପାଲ ପ୍ରକାଶ ଚନ୍ଦ୍ର ବେହେରା ଅଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପ୍ରିଲ ୧ ତାରିଖ ‘ଉତ୍କଳ ଦିବସ’ ଅବସରରେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ଗସ୍ତ କରିଥିଲେ। ସେହି ଗସ୍ତକାଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଖୁବ୍‌ ଶୀଘ୍ର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମାତୃଭାଷା ‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ନେଇ ସେ ମତ ରଖିଥିଲେ। ଆଜି ପ୍ରାଥମିକ ସୋପାନରେ ଏନ୍‌ସିଇଆରଟି ପକ୍ଷରୁ ଏହି କମିଟି ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ତଥା ସ୍ଥାନୀୟ ଭାଷାରେ ପାଠ ପଢିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଆମ ବିବିଧ ଭାଷାକୁ ସୁଦୃଢ କରିବ ମନ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *