Spread the love

ଭୁବନେଶ୍ବର : ତାତିରେ ଲାଗିଲା ବ୍ରେକ୍। ଆଶ୍ୱସ୍ତ ଉପକୂଳରୁ ଉପାନ୍ତ। ଗତକାଲି ସାରା ରାଜ୍ୟରେ ଅଗ୍ନିବର୍ଷା ହୋଇଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ୱରରେ ଗତକାଲି ତୁଳନାରେ ପାରଦ ପାଖାପାଖି ୭ ଡିଗ୍ରୀ ଖସିଛି। ଆଜି ରାଜ୍ୟରେ କେଉଁଠି ବି ତାପମାତ୍ରା ୪୦ ଉପରକୁ ଯାଇନାହିଁ। ୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।
ଆଜି ଜଗତସିଂହପୁରରେ ୩୪.୮, ତାଳଚେରରେ ୩୪.୬, ପାରାଦୀପରେ ୩୪.୬, କେନ୍ଦ୍ରାପଡ଼ାରେ ୩୪.୪, ଭଦ୍ରକରେ ୩୪.୪, ଅନୁଗୋଳରେ ୩୪.୧, କଟକରେ ୩୪, ଚାନ୍ଦବାଲିରେ ୩୪, ସମ୍ବଲପୁରରେ ୩୩.୯, ଭବାନୀପାଟଣାରେ ୩୩.୫, ଢେଙ୍କାନାଳରେ ୩୩, ଖୋର୍ଦ୍ଧାରେ ୩୩, ହୀରାକୁଦରେ ୩୨.୬, ଫୁଲବାଣୀରେ ୩୨.୬, ନବରଙ୍ଗପୁରରେ ୩୨.୨, ନୟାଗଡ଼ରେ ୩୨, ବରଗଡ଼ରେ ୩୨, ଦାରିଙ୍ଗବାଡ଼ିରେ ୩୧.୫, କେନ୍ଦୁଝରରେ ୩୧, ସୋନପୁରରେ ୩୦.୭, ଟିଟିଲାଗଡ଼ରେ ୩୦ ଓ ବଲାଙ୍ଗିରରେ ୨୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ୱରର ଯେଉଁଠି ୪୩ ଡିଗ୍ରୀ ସେଲସିଅସ୍ ସହ ଗତକାଲି ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଥିଲା ସେଇଠି ଆଜି ଅପରାହ୍ନରେ ୨ଟା ୩୦ ସୁଦ୍ଧା ତାପମାତ୍ରା ଖସି ଆସିଥିଲା ୨୯ ଡିଗ୍ରୀକୁ। କେବଳ ରାଜଧାନୀ ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ତାପମାତ୍ରା ଗତକାଲି ଅପେକ୍ଷା ଢେର କମ ରେକର୍ଡ ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ୪୨.୮ ଡିଗ୍ରୀ ଥିବା ବେଳେ ଆଜି ୩୭.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲି, ବାଲେଶ୍ୱର, ସମ୍ବଲପୁର ଓ କେନ୍ଦୁଝର ଭଳି ସହର ଯେଉଁଠି ଗତକାଲି ଅଗ୍ନିବର୍ଷା ହେଉଥିଲା ଆଜି ପାଗରେ ଢେର୍ ପରିବର୍ତ୍ତନ ହୋଇଛି। ଫଳରେ ପ୍ରାୟ ଦୁଇ ସପ୍ତାହ ହେଲା ଗୁଳୁଗୁଳି ଓ ଝାଞ୍ଜି ମାଡ଼ରେ ଅସ୍ତବ୍ୟସ୍ତ ଜନସାଧାରଣ ସାମୟିକ ଆଶ୍ୱସ୍ତି ଲାଭ କରିଛନ୍ତି।
ଅଚାନକ ପାରଦ ଏପରି ଖସିବା ନେଇ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଇଛି। ଯାହାଫଳରେ ସମୁଦ୍ର ମଧ୍ୟରୁ ସ୍ଥଳଭାଗକୁ ଜଳୀୟ ବାଷ୍ପ ଆସୁଛି। ଏହା ସହ ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରାପ୍ ଲାଇନ୍ ରହିଛି। ଉଭୟ ଟ୍ରାପ୍ ଲାଇନ୍ ଏବଂ ଜଳୀୟବାଷ୍ପ ମିଶ୍ରିତ ହୋଇ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା କରାଇବାରେ ସହାୟକ ହେବ। ବର୍ଷାର ପରିମାଣ ଆସନ୍ତାକାଲିଠାରୁ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *