Spread the love

ବାରିପଦା : ଦୁଇ ଦନ୍ତାଙ୍କୁ ମାରି କାଟି ନେଇଥିଲେ ୪ ଦାନ୍ତ। ଶିମିଳିପାଳ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ ଧରିବା ସହ ତା’ ଠାରୁ ୪ ହାତୀ ଦାନ୍ତକୁ ଜବତ କରିଛି। ତେବେ ଚଢ଼ଉ ଟିମ୍‌କୁ ଚକମା ଦେଇ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେପଟେ ଏହି ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟରେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବନ ବିଭାଗର ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡ଼ିଭିଜନ ସହ ବାରିପଦା ଡିଭିଜନ ମିଳିତ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟର ଅସ୍ତକୁଆଁର ଗାଁରେ ଚଢାଉ କରିଥିଲା। ହାତୀ ଦାନ୍ତ ସହ ଜଣକୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ଅସ୍ତକୁଆଁ ଗାଁ’ର ଜଣକ ରଘୁନାଥ ପିଙ୍ଗୁଆ।
ବନ ବିଭାଗ ସୂଚନା ମୁତାବକ, ଗତ ଡିସେମ୍ବର ମାସରେ ଜେନାବିଲ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶିକାର ହୋଇଥିଲା। ଏହି ହାତୀର ମୁଣ୍ଡ ନିଖୋଜ ଥିଲା। ଏବେ ଜବତ ହୋଇଥିବା ହାତୀ ଦାନ୍ତ ମଧ୍ୟରୁ ଗୋଟିଏ ଜୋଡ଼ା ସେହି ହାତୀର ବୋଲି ଜଣାପଡ଼ିଛି। ସେହିପରି ଦକ୍ଷିଣ ଶିମିଳିପାଳର ପିଠାବଟା ରେଞ୍ଜର ବାଲିଖାଳରେ ମଧ୍ୟ ଏକ ଦନ୍ତାହାତୀକୁ ଫେବୃଆରୀ ମାସରେ ଶିକାର କରାଯାଇଥିଲା। ଏହି ହାତୀ ଦାନ୍ତ କାଟି ନିଆଯାଇଥିଲା। ଜବତ ହାତୀ ଦାନ୍ତ ଏହି ହାତୀର ବୋଲି ଜଣାପଡ଼ିଛି।
ବାରିପଦେ ଆରସିସିଏଫ୍ ପ୍ରକାଶ ଚନ୍ଦ୍ର ଗୋଗନାଇ କହିଛନ୍ତି, ହାତୀ ଶିକାର ଏବଂ ଦାନ୍ତ ରଖିଥିବା ଅନ୍ୟ ତିନି ଜଣ ଫେରାର ହୋଇଯାଇଥିବା ବେଳେ ବନ ବିଭାଗ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ ଚେଷ୍ଟା କରୁଛି। ଏହି ମାମଲାରେ ଅନେକଙ୍କ ସମ୍ପୃକ୍ତି ମଧ୍ୟ ଥାଇପାରେ। ଯେହେତୁ ଗତକାଲି ରାତିରେ ଚଢ଼ଉ କରାଯାଇଥିଲା, ଅନ୍ଧାରର ସୁଯୋଗ ନେଇ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ସମସ୍ତ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *