Spread the love

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ମାସ ୨୧ ଓ ୨୨ ତାରିଖରେ କ୍ରୀଡ଼ା ଭାରତୀ ସହଯୋଗରେ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ପାରମ୍ପରିକ କ୍ରୀଡ଼ାକୁ ପ୍ରଦର୍ଶିତ କରାଯିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି: ଆଧୁନିକ ଦିନରେ ଲୋକପ୍ରିୟତା ହରାଇଥିବା ଭାରତର ପାରମ୍ପରିକ କ୍ରୀଡ଼ା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିସ୍ମରଣରୁ ରକ୍ଷା କରିବା। ଏହି ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁଭାଷ ସରକାର ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳାଧିପତି ପ୍ରଫେସର ପିଭି କ୍ରିଷ୍ଣା ଭଟ୍ଟ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ।

ଭାରତର ସମୃଦ୍ଧ ସଂସ୍କୃତି ଓ ଇତିହାସ ସବୁବେଳେ ଖେଳ ଓ କ୍ରୀଡ଼ାରେ ଗଭୀର ଭାବରେ ଜଡ଼ିତ ରହିଛି। ଦୁର୍ଭାଗ୍ୟବଶତଃ ଖୋ ଖୋ, ପାଲାଙ୍ଗୁଜି, ଲିପ୍ପା, କବାଡି ଓ ଗିଲି ଦଣ୍ଡା ଭଳି ପାରମ୍ପରିକ ଖେଳକୁ ଆଜିର ଯୁବପିଢ଼ି ଭୁଲି ଯାଇଛନ୍ତି କାରଣ ସେମାନେ ଭିଡିଓ ଗେମ୍ ଖେଳିବାରେ ଏତେ ନିମଗ୍ନ। ପିଲାମାନେ କିଛି ପାରମ୍ପରିକ ଖେଳ ଖେଳିବା ପାଇଁ ଉତ୍ସୁକତାର ସହ ବାହାରକୁ ଯାଉଥିବା ଦିନଗୁଡିକ ଆଜିକାଲି ଆଉ ଦେଖାଯାଉନାହିଁ । ଶାରୀରିକ ବ୍ୟାୟାମ କମିଯିବା ଫଳରେ ପିଲାମାନଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ତେଣୁ ପୁରୁଣା ଖେଳକୁ ଫେରାଇ ଆଣିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତରେ ବିଭିନ୍ନ ଗୋଷ୍ଠୀ ପାରମ୍ପରିକ ଖେଳ ପ୍ରଦର୍ଶନ କରିବେ। ପାରମ୍ପରିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ବିଭିନ୍ନ ରାଜ୍ୟରୁ ଆଠଟି ଦଳ ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହି ୮ଟି ଗ୍ରୁପ୍ ମଧ୍ୟରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୫ଟି ଗ୍ରୁପ୍, ପଶ୍ଚିମବଙ୍ଗର ୨ଟି ଗ୍ରୁପ୍ ଓ ଆସାମର ଗୋଟିଏ ଗ୍ରୁପ୍ ଏହି ପ୍ରତିଯୋଗିତାରେ ଭାଗ ନେବା ସହ ପାରମ୍ପରିକ କ୍ରୀଡା ପରିବେଷଣ କରିବେ। ପ୍ରସ୍ତାବିତ ଖେଳ ଓ କ୍ରୀଡ଼ାଗୁଡ଼ିକ ହେଲା ଓଡ଼ିଶାର କ୍ରୀଡ଼ା ଯୋଗ, ତୀରନ୍ଦାଜି ପ୍ରଦର୍ଶନ, କବାଡି, ଖୋ-ଖୋ, ମାଲଖମ୍ବ ଓ ରୋପ ମାଲଖମ୍ବ, ଆସାମର ଗଟ୍କା, କଲାରିପାୟାଟ୍ଟୁ, ଥଙ୍ଗ-ତା ଏବଂ ଆତ୍ୟା ପଟ୍ୟା (ଡେମୋ), ଗିଲି ଦଣ୍ଡା (ଡେମୋ) ଏବଂ ସୂର୍ଯ୍ୟ ନମସ୍କାର (ଡେମୋ) ପ୍ରଦର୍ଶନ କରାଯିବ । ଏହି ବ୍ୟତୀତ ଦଳମାନେ ଛଉ ନୃତ୍ୟ (ଓଡ଼ିଶା), ରାଇବେନ୍ସେ ନୃତ୍ୟ (ପଶ୍ଚିମବଙ୍ଗ) ଏବଂ ପାଇକ ଯୁଧ୍ୟ କୌଶଳ (ଓଡ଼ିଶା) ଏବଂ ଭାରତୀୟ ଯୁଧ୍ୟ କୌଶଳ (ପଶ୍ଚିମବଙ୍ଗ), ଯୋଗାସନ ଏବଂ ସୂର୍ଯ୍ୟ ନମସ୍କାର (ଓଡ଼ିଶା) ପରିବେଷଣ କରିବେ। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ସୋନି, କ୍ରୀଡା ଭାରତୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୋପାଳ ସାଇନି, ରାଷ୍ଟ୍ରୀୟ ସମ୍ପାଦକ ରାଜ ଚୌଧୁରୀ, ଯୁଗ୍ମ ସଚିବ ମଧୁମୟ ନାଥଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ବୋଲି ଜନସମ୍ପର୍କ ଅଧିକାରୀ ଡାଃ ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *