ଭୁବନେଶ୍ବର : ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ବଚ୍ଛ ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ସ୍ଥାନୀୟ ଅଧିବାସୀ। ୧୫ଟି ଜିଲ୍ଲାର ୮୬୬ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତର ୯୬୯୬ ଗାଁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପରେ ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ସର୍ଭେ କରାଯାଇଥିଲା।
ସର୍ଭେ ଅନୁଯାୟୀ ଏହି ଅଞ୍ଚଳର ୩୨ ହଜାର ୯୬୦ ନଳକୂଅ ଏବଂ ହାତପମ୍ପ ମଧ୍ୟରୁ ୬୮.୨୫ % ଅର୍ଥାତ ୧୮ ହଜାର ୬୬୩ରେ ନଳକୂଅ ଅଚଳ କିମ୍ବା ବ୍ୟବହାରଯୋଗ୍ୟ ଅବସ୍ଥାରେ ନାହିଁ। ୧୧ହଜାର ୬୪୮ (୩୫.୪%)ନଳକୂଅରେ ପ୍ଲାଟଫର୍ମ ନାହିଁ। ୫.୪୩ % ଅଞ୍ଚଳରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଏବଂ ୨୭.୫୭ % ସ୍ଥାନରେ ପ୍ଲାଟଫର୍ମ ଆଂଶିକ ଭାଙ୍ଗି ଯାଇଛି। ୮୨ % ଅର୍ଥାତ ୨୧ ହଜାର ୬୬୨ ନଳକୂଅରେ କାର୍ଯ୍ୟକ୍ଷମ ସୋକ୍ପିଟ ନାହିଁ। ଯାହାଫଳରେ ପାରିପାର୍ଶ୍ବିକ ମାଟିର ବର୍ଜ୍ୟ ଜଳ ନଳକୂଅରେ ପ୍ରବେଶ କରି ଖରାପ ସ୍ଥିତି ସୃଷ୍ଟି କରୁଛି। ୯୬୯୬ ଗାଁ ମଧ୍ୟରୁ ୭୮୧୬ଟି ଗାଁରେ ଉପଯୁକ୍ତ ଜଳ ନିଷ୍କାସନ ସୁବିଧା ନାହିଁ। ୩୪୦୭ ଅର୍ଥାତ ୩୫.୧୩ % ସ୍ଥାନରେ ଜଳ ନିଷ୍କାସନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପାଇପ୍, ନାଳ, କଲଭର୍ଟ, ଖାଲ, ଭୂପୃଷ୍ଠ ଡ୍ରେନର ୩୪.୪୮ % ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି।