Spread the love

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଗତ ଶନିବାର ଏକ ଆତଙ୍କୀ ଆକ୍ରମଣରେ ଜିହାଦୀମାନେ ବିଚ୍‌ ବଜାରରେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୩୪ ଜଣ ସୈନ୍ୟ ଓ ୬ ଜଣ ସାଧାରଣ ନାଗରିକ ରହିଛନ୍ତି। ଏହି ଆକ୍ରମଣ ଯୋଗୁ ୩୩ ଜଣ ଆହତ ହୋଇଛନ୍ତି। ବୁର୍କିନା ଫାସୋ ଗଭର୍ନର ଏହି ଘଟଣାକୁ ସ୍ୱୀକାର କରିଛନ୍ତି। କିଛି ଅଜ୍ଞାତ ବନ୍ଧୁକଧାରୀ ଏହି ଆକ୍ରମଣ ଘଟାଇଥିବା ଜଣାଯାଇଛି।
ବୁର୍କିନା ଫାସୋ ଇସଲାମିକ ଷ୍ଟେଟ ଓ ଅଲ କାଏଦା ଦ୍ୱାରା କବଜା ହୋଇ ରହିଥିବା ବେଳେ ବିଭିନ୍ନ ସମୟରେ ଏଠାରେ ହିଂସାତ୍ମକ ଘଟଣା ଘଟି ସାଧାରଣ ଲୋକଙ୍କ ଜୀବନ ଯାଉଛି। ତେବେ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।
ପୂର୍ବରୁ ଦେଶରେ ଏପରି ହିଂସାତ୍ମକ ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସୈନ୍ୟବାହିନୀରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦେଶର ସାଧାରଣ ଲୋକଙ୍କୁ ଅପିଲ କରାଯାଇଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ଗରିବ ଦେଶ ମଧ୍ୟରୁ ଅନ୍ୟତମ ବୁର୍କିନା ଫାସୋରେ ବର୍ଷ ବର୍ଷ ଧରି ହଜାର ହଜାର ଲୋକ ହିଂସାରେ ପ୍ରାଣ ହରାଇ ସାରିଛନ୍ତି । ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକ ଦେଶ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇ ସାରିଛନ୍ତି । ଅଶାନ୍ତି ଯୋଗୁଁ ଗତ ବର୍ଷ ଦେଶରେ ୨ ଥର ଶାସନ କ୍ଷମତା ହସ୍ତାନ୍ତର ହୋଇଥିଲା। ଏହା ପରେ ବି ଦେଶରେ ହିଂସା ମାମଲା ଥମିବା ନାଁ ଧରୁନି।
୨୦୧୨ ମସିହାରେରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏହି ଅଶାନ୍ତି ଆରମ୍ଭ ହୋଇଥିଲା। ଏହା ପରେ ହିଂସା ପଡୋଶୀ ବୁର୍କିନା ଫାସୋ ଏବଂ ନାଇଜରକୁ ବ୍ୟାପିବାକୁ ଲାଗିଲା।

Leave a Reply

Your email address will not be published. Required fields are marked *