ଭୁବନେଶ୍ବର: ଘରୋଇ କମ୍ପାନିରେ ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦ୍ରଶେଖର ପ୍ରଧାନ (୨୭)। ଅଭିଯୁକ୍ତ ପାଖରୁ ପୁଲିସ ଜାଲ ନିଯୁକ୍ତିପତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଛି।
ସହିଦନଗର ଥାନା ପୁଲିସ କହିଛି ସତ୍ୟବ୍ରତ ନାମରେ ଜଣେ ଏମବିଏ ଡିଗ୍ରୀଧାରୀ ଏବଂ ସେ ତାଙ୍କର ସାଙ୍ଗ ଅମରେଶ ନାୟକଙ୍କ ସହିତ ଆଚାର୍ଯ୍ୟ ବିହାରର ଭୋଇନଗରରେ ଭଡାରେ ରହୁଛନ୍ତି । ଅମରେଶ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଭିଯୁକ୍ତ ତଥା କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ବୋଇଲୋ ଗ୍ରାମର ଚନ୍ଦ୍ରଶେଖରଙ୍କୁ ଟିପିସିଓଡିଏଲ୍ ଭୁବନେଶ୍ବରରେ ସିସିଏ ପଦବିରେ ଚାକିରି କରାଇଦେଉଥିବାର ଜାଣିବା ପରେ ସେ ତାଙ୍କର ଯୋଗାଯୋଗ ନଂ ସତ୍ୟବ୍ରତଙ୍କୁ ଦେଇଥିଲେ । ସତ୍ୟବ୍ରତ ଜଣେ ବେରୋଜଗାର ଥିବାରୁ ସେ ଚନ୍ଦ୍ରଶେଖରଙ୍କୁ ଯୋଗାଯୋଗ କରିଥିଲେ ଏବଂ ଚନ୍ଦ୍ରଶେଖର ନିଜକୁ ଟାଟା ପାୱାର ଭୁବନେଶ୍ବରର ଜଣେ କର୍ମଚାରୀ ପରିଚୟ ଦେବା ସହ ସତ୍ୟବ୍ରତଙ୍କୁ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଗତ ମର୍ଚ୍ଚ ୧୦ ତାରିଖରେ ଚନ୍ଦ୍ରଶେଖର ଚାକିରି କରାଇଦେବା ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ସତ୍ୟବ୍ରତଙ୍କ ଠାରୁ ସମୁଦାୟ ୮ ହଜାର ଟଙ୍କା ନେବା ପରେ ଗୋଟିଏ ଜାଲି ନିଯୁକ୍ତିପତ୍ର ଦେଇଥିଲେ । ନିଯୁକ୍ତିପତ୍ରରେ ଥିବା ଠିକଣାରେ ସତ୍ୟବ୍ରତ ଯାଇ ପହଞ୍ଚିବା ପରେ ସେଠାରେ ଥିବା କର୍ମଚାରୀମାନଙ୍କ ଠାରୁ ସେ ପାଇଥିବା ନିଯୁକ୍ତି ପତ୍ରଟି ଜାଲି ବୋଲି ଜାଣିବାକୁ ପାଇଥିଲେ। ସହିଦନଗର ପୁଲିସ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରଶେଖର ଜଣେ ବେକାରି ଏବଂ ସେ ପୂର୍ବରୁ ଟାଟା ପାୱାରରେ ଚାକିରି କରିବା ସହ ୫୦ ହଜାର ଟଙ୍କା ଜାଲିଆତିରେ ବହିଷ୍କୃତ ହୋଇଥିବା ଜାଣିବାକୁ ପାଇଥିଲେ। ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଚନ୍ଦ୍ରଶେଖର ନିଜକୁ ଜଣେ ଟିପିସିଓଡିଏଲ୍ ଭୁବନେଶ୍ବରର କର୍ମଚାରୀ ପରିଚୟ ଦେବା ସହ ଅନେକ ବେକାରୀ ଯୁବକ ଏବଂ ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଚାକିରି କରେଇଦେବା ଆଳରେ ଠକେଇ କରିଛନ୍ତି। ଆଜି ବିଶେଷ ସୂତ୍ରରୁ ଖବର ପାଇ ସହିଦନଗର ପୁଲିସ ଚନ୍ଦ୍ରଶେଖରଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ତଦନ୍ତ ସମୟରେ ଚନ୍ଦ୍ରଶେଖର ନିଜର ଅପରାଧ ସ୍ଵୀକାର କରିଥିଲେ।
ଏଥି ସହିତ ଟାଟା ପାୱାର ପକ୍ଷରୁ କୁହାଯାଇଛି ଯେ, ଲୋକେ ସତର୍କ ରୁହନ୍ତୁ। ଠକେଇର ଶିକାର ହୁଅନ୍ତୁ ନାହିଁ। ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଟାଟା ପାୱାର କୌଣସି ଆଶାୟୀଙ୍କ ଠାରୁ ଲାଞ୍ଚ ଟଙ୍କା ନେଇ ଚାକିରି ଦିଏ ନାହିଁ। କୌଣସି ସଂସ୍ଥା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚାକିରି ଦିଏ ନାହିଁ। ଚାକିରି ଦେବା ପାଇଁ କଂପାନିର ଏକ ମାନବ ସମ୍ବଳ ଟିମ୍ ଅଛନ୍ତି। ଚାକିରି ଦେବା ପାଇଁ ଏହି ଟିମ୍ ଏକ ନିୟମିତ ପ୍ରକ୍ରିୟା କରିଥାଏ। କଂପାନି ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ପାଖରୁ ଜବତ ହୋଇଥିବା ୮୦ ହଜାର ଟଙ୍କା ଚାକିରି ପାଇଁ ଠକେଇ ହୋଇଥିବା ଲୋକଙ୍କୁ ଫେରାଇ ଦିଆଯିବ।