Spread the love

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ତଥା କଡ଼ପା ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ ବାପା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଆଜି ଗିରଫ କରିଛି ସିବିଆଇ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଛି। ବିବେକାନନ୍ଦ ମଧ୍ୟ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଥିଲେ। ଅର୍ଥାତ୍ ନିଜ ଭାଇଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ଭାସ୍କର ରେଡ୍ଡୀ।
ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ଭାସ୍କର ରେଡ୍ଡୀଙ୍କୁ କଡ଼ପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ଘରୁ ଗିରଫ କରିଛି। ତାଙ୍କୁ ଗିରଫ କରି ହାଇଦ୍ରାବାଦ ଅଣାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।
୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ୩ ସପ୍ତାହ ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ରାତିରେ ବିବେକାନନ୍ଦ ରେଡ୍ଡୀଙ୍କୁ ତାଙ୍କର କଡ଼ପା ଜିଲ୍ଲା ପୁଲିବେନ୍ଦୁଲା ସ୍ଥିତ ଘରେ ହତ୍ୟା କରାଯାଇଥିଲା। ସେ ସେତେବେଳେ ଘରେ ଏକୁଟିଆ ଥିଲେ। ପ୍ରଥମେ ଏହି ମାମଲାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ କରୁଥିଲା। ୨୦୨୦ରେ ଏହି ମାମଲାର ତଦନ୍ତଭାର ସିବିଆଇକୁ ଯାଇଥିଲା।
ବିବେକାନନ୍ଦଙ୍କ ଝିଅ ସୁନୀତା ରେଡ୍ଡୀ ଏହି ଘଟଣାରେ ସଂପର୍କୀୟଙ୍କ ହାତ ଥିବା ଆଶାଙ୍କା କରିଥିଲେ ଏବଂ ଏନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତା’ପରେ ମାମଲାର ତଦନ୍ତଭାର ସିବିଆଇ ହାତକୁ ଯାଇଥିଲା। ମାମଲା ସିବିଆଇକୁ ଯାଇଥିଲେ ବି ତଦନ୍ତ ଧିମା ଚାଲିଥିଲା। ଗତ ସପ୍ତାହରେ ସୁପ୍ରିମକୋର୍ଟ ସିବିଆଇକୁ ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ (ଏସ୍‌ଆଇଟି) ଗଠନ କରି ତଦନ୍ତକୁ ତ୍ୱରାନ୍ୱିତ କରିବା ସହିତ ଏପ୍ରିଲ ୩୦ ତାରିଖ ମଧ୍ୟରେ ସାରିବା ପାଇଁ କହିଥିଲେ। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ହାଇଦ୍ରାବାଦକୁ ଟ୍ରାନ୍ସଫର କରି ଦେଇଥିଲେ। ଆନ୍ଧ୍ର ପ୍ରଦେଶରେ ମାମଲାଟି ରହିଲେ ତଦନ୍ତରେ ସ୍ୱଚ୍ଛତା ରହି ନପାରେ ଓ ନ୍ୟାୟ ମିଳି ନପାରେ ବୋଲି ମୃତ ବିବେକାନନ୍ଦ ରେଡ୍ଡୀଙ୍କ ଝିଅ ଆଶଙ୍କା ପ୍ରକାଶ କରିବା ପରେ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ।
ଦୁଇ ଦିନ ତଳେ ସିବିଆଇର ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ ଏହି ହତ୍ୟା ମାମଲାରେ ଜି ଉଦୟ କୁମାର ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ କଡ଼ପା ସାଂସଦ ତଥା ଭାସ୍କର ରେଡ୍ଡୀଙ୍କ ପୁଅ ଅବିନାଶଙ୍କର ଘନିଷ୍ଠ ସହଯୋଗୀ। ତାଙ୍କୁ ଗିରଫ କରିବା ପରେ ଆଜି ସିବିଆଇ ଟିମ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ତେଣୁ ଭାସ୍କରଙ୍କ ବିରୋଧରେ ସିବିଆଇକୁ ପ୍ରମାଣ ମିଳିଛି ବୋଲି ଆଲୋଚନା ହେଉଛି।
କିଛି ଦିନ ତଳେ ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ସୁନୀଲ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରି ସିବିଆଇ ତେଲେଙ୍ଗାନା ହାଇକୋର୍ଟଙ୍କୁ କହିଥିଲା ଯେ ଅବିନାଶ ରେଡ୍ଡୀ, ତାଙ୍କ ବାପା ଭାସ୍କର ରେଡ୍ଡୀ ଓ ସେମାନଙ୍କ ଅନୁଗତ ଡି ଶିବ ଶଙ୍କର ରେଡ୍ଡୀ ମିଶି ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।
ବିବେକାନନ୍ଦ ରେଡ୍ଡୀଙ୍କ ଉପରେ ଅବିନାଶ ଓ ଭାସ୍କର ରେଡ୍ଡୀଙ୍କର ରାଗ ଥିଲା। କାରଣ ୨୦୧୯ ସାଧାରଣ ନିର୍ବାଚନ ବେଳେ ୱାଇଏସ୍‌ଆରସିପି କଡ଼ପା ଲୋକସଭା ଆସନରୁ ଅବିନାଶଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିବେକାନନ୍ଦ ରେଡ୍ଡୀ ଏହାକୁ ବିରୋଧ କରିଥିଲେ। ଅବିନାଶଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତାଙ୍କ ଭଉଣୀ ଏସ୍‌. ଶର୍ମିଳା କିମ୍ବା ମା’ ୱାଇ.ଏସ୍ ବିଜୟମ୍ମାଙ୍କୁ କଡ଼ପାରୁ ପ୍ରାର୍ଥୀ କରନ୍ତୁ ବୋଲି ବିବେକାନନ୍ଦ ଚାହୁଁଥିଲେ।
ସିବିଆଇ କୋର୍ଟଙ୍କୁ ଆହୁରି ମଧ୍ୟ କହିଥିଲେ ଯେ ବିବେକାନନ୍ଦ ତାଙ୍କ ଭାଇ ଭାସ୍କର ରେଡ୍ଡୀ ଓ ପୁତୁରା ଅବିନାଶ ରେଡ୍ଡୀଙ୍କ ଉପରେ ଖୁସି ନଥିଲେ। ସେ ଭାବୁଥିଲେ ଯେ ୨୦୧୭ରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରାଇ ନଦେବାରେ ଭାସ୍କର ଓ ଅବିନାଶ ରେଡ୍ଡୀଙ୍କ ହାତ ଥିଲା। ଭାସ୍କର ଓ ଅବିନାଶ ରେଡ୍ଡୀ ତାଙ୍କ ବଦଳରେ ସେମାନଙ୍କ ଅନୁଗତ ଡି. ଶିବ ଶଙ୍କର ରେଡ୍ଡୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। କିନ୍ତୁ ବିବେକାନନ୍ଦଙ୍କୁ ପ୍ରାର୍ଥୀ କରିଥିଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ତେବେ ବିବେକାନନ୍ଦ ଏହି ନିର୍ବାଚନ ହାରି ଯାଇଥିଲେ। ଏହା ପଛରେ ଭାସ୍କର ରେଡ୍ଡୀ, ଅବିନାଶ ରେଡ୍ଡୀ ଓ ଡି. ଶିବ ଶଙ୍କର ରେଡ୍ଡୀଙ୍କ ଷଡ଼ଯନ୍ତ୍ର ରହିଥିଲା ବୋଲି ସେ ଭାବୁଥିଲେ। ସେଥିପାଇଁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଅବିନାଶଙ୍କୁ କଡ଼ପା ଲୋକସଭା ଆସନରୁ ୱାଇଏସ୍‌ଆରସିପି ଟିକେଟ ଦେବାରୁ ସେ ତୀବ୍ର ବିରୋଧ କରିଥିଲେ। ଏହି ହତ୍ୟା ମାମଲାରେ ୪୦ କୋଟି ଟଙ୍କାର କାରବାର ହୋଇଥିବା ସିବିଆଇ ଦାବି କରିଛି।
ଏହି ମାମଲାରେ କଡ଼ପା ସାଂସଦ ତଥା ଭାସ୍କର ରେଡ୍ଡୀଙ୍କ ପୁଅ ଅବିନାଶ ରେଡ୍ଡୀଙ୍କୁ ସିବିଆଇ ଅନେକ ଥର ପଚରାଉଚରା କରିଥିଲା। ତେବେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ତାଙ୍କ ବାପାଙ୍କର ମଧ୍ୟ ଏହି ହତ୍ୟା ମାମଲାରେ କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *