Spread the love

ପ୍ରୟାଗରାଜ : ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ଅତିକ ଅହମଦ ଗ୍ୟାଙ୍ଗର ଗୁଡୁ ମୁସଲିମକୁ ଆଜି ଉତ୍ତର ପ୍ରଦେଶ ପୁଲିସ୍‌ର ଏସଟିଏଫ ମହାରାଷ୍ଟ୍ରର ନାଶିକରୁ ଗିରଫ କରିଛି।
ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସେ ନାଶିକରେ ଆତ୍ମଗୋପନ କରିଥିବା ଖବର ମିଳିଥିଲା। ଏହି ସୂଚନା ପରେ ୟୁପି ପୁଲିସ୍‌ ଓ ମହାରାଷ୍ଟ୍ର ପୁଲିସ୍‌ ମିଳିତ ଭାବେ ଗତକାଲି ରାତିରୁ ନାଶିକର ବିଭିନ୍ନ ସ୍ଥାନରେ ରେଡ୍‌ ଆରମ୍ଭ କରିଥିଲେ। ଶେଷରେ ଆଜି ସକାଳୁ ତାକୁ ଗିରଫ କରାଯାଇଛି।
ଗିରଫ ପରେ ସ୍ଥାନୀୟ ହସ୍ପିଟାଲରେ ତା’ର ମେଡିକାଲ ଚେକଅପ କରାଯାଇଛି। ଏଥିସହ ତାକୁ ଉତ୍ତର ପ୍ରଦେଶକୁ ଆଣିବା ପାଇଁ ସବୁ ପ୍ରକାରର ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।
ଉମେଶ ପାଲ ହତ୍ୟାକାଣ୍ଡରେ ଗୁଡୁ ମୁସଲିମ ସାମିଲ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯିବା ସହ ତା’ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଫେବୃଆରୀ ୨୪ ତାରିଖରେ ଉମେଶ ପାଲଙ୍କୁ ହତ୍ୟା କରାଯିବା ପୂର୍ବରୁ ବୋମା ମାଡ଼ କରାଯାଇଥିଲା। ବୋମା ଗୁଡୁ ହିଁ ମାଡ଼ କରିଥିବା ସିସିଟିଭିରୁ ଜଣାପଡ଼ିଥିଲା।
ପୁଲିସ୍‌କୁ ଚକମା ଦେଇ ଗୁଡୁ ଉତ୍ତର ପ୍ରଦେଶରୁ ପଶ୍ଚିମବଙ୍ଗ, ପରେ ବିହାର, ଗୁଜରାଟ, ଦିଲ୍ଲୀ ଦେଇ ଶେଷରେ ନାଶିକରେ ପହଞ୍ଚିଥିଲା। ଏବେ ସେ ସେଠାରୁ ଧରାପଡ଼ିଛି। ଜମି କାରବାର କରୁଥିବା ଗୁଡୁ ପୂର୍ବରୁ ମଧ୍ୟ ଅନେକ ଅପରାଧରେ ସାମିଲ ଥିବା ପୁଲିସ୍‌ କହିଛି।

Leave a Reply

Your email address will not be published. Required fields are marked *