କୋରାପୁଟ/ସେମିଳିଗୁଡ଼ା: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୋଲାବ ଜଳଭଣ୍ଡାରରେ ଗୁରୁବାର ଅପରାହ୍ଣରେ ଦେଶୀ ଡଙ୍ଗା ବୁଡ଼ି ଘଟଣାରେ ଗତକାଲି ନିଖୋଜ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଥି ସହିତ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ମୃତକମାନେ ହେଲେ ସେମିଳିଗୁଡା ବ୍ଲକ ରଜପୁଟ ପଞ୍ଚାୟତ ମୁଖିବିଡ଼ାଇର ବବିତା କିର୍ଷାନୀ(୧୮), ସାବିତ୍ରୀ କିର୍ଷାନୀ(୧୯), ନୀଳା କିର୍ଷାନୀ (୧୮) ଓ କମଳୁ ବାଲଦି(୧୯)। କୋରାପୁଟ ପ୍ରଶାସନ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବାକୁ ସୁପାରିଶ କରାଯାଇଛି। ଏହାସହ ପ୍ରତି ପରିବାରକୁ ରେଡକ୍ରସ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୩ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ସମସ୍ତଙ୍କ ମୃତ ଦେହଉଦ୍ଧାର କରାଯିବା ପରେ ମୁଖୀବିଡ଼ାଇ, ଉମ୍ବେଲ ଓ ତେନ୍ତୁଳିପଡା ଗ୍ରାମରେ ଶୋକ ଖେଳିଯାଇଛି।
ବୁଧବାର ମୁଖିବିଡ଼ାଇ ଗ୍ରାମର ୫ ଯୁବତୀ ଅନ୍ୟ ମାନଙ୍କ ସହ ନନ୍ଦପୁରର ଉମ୍ବେଲ ଗ୍ରାମକୁ ଚଇତି ପରବ ଦେଖି ଯାଇଥିଲେ। ଯାତ୍ରା ସରିବା ପରେ ଗୁରୁବାର ଅପରାହ୍ନରେ ଗାଁର ଅନ୍ୟ ସମସ୍ତେ ନନ୍ଦପୁର ପଟେ ଗାଡି ଯୋଗେ ଫେରିଥିଲେ। ତେବେ ମୁଖିବିଡ଼ାଇର ୫ ଯୁବତୀ ତେନ୍ତୁଳିପଡା ନଦୀ ଘାଟ ପଟେ ଫେରିବା ପାଇଁ ନିଷ୍ପତି ନେଇଥିଲେ। ସେମାନଙ୍କୁ ଛାଡିବା ପାଇଁ ତେନ୍ତୁଳିପଡାର ତିନି ଯୁବକ ସାଙ୍ଗରେ ଆସିଥିଲେ। ତେବେ ଘାଟରେ ଥିବା ଗୋଟିଏ ଅଧା ଭଙ୍ଗା ଡ଼ଙ୍ଗା ରେ ସମସ୍ତେ ବସି ନଦୀ ପାର ହେଉଥିବା ବେଳେ ଆହୁଲା ନଥିବାରୁ ଯୁବକ ଦ୍ବୟ ହାତରେ ଆହୁଲା ମାରି ଡ଼ଙ୍ଗା କୁ ଆଗକୁ ନେଉଥିବା ବେଳେ ମଝି ନଦୀରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିଥିଲା ।ଫଳରେ ସମସ୍ତ ୮ ଜଣ ପାଣିରେ ବୁଡିଯାଇଥିଲେ। ତେବେ କୂଳରେ ଥିବା ପୋଡ଼ଗଡ଼ର ମତ୍ସଜୀବି ମାନେ ତୁରନ୍ତ ଡ଼ଙ୍ଗା ନେଇ ୪ ଜଣ କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୪ ଜଣ ବୁଡି ଯାଇଥିଲେ।