ବାରିପଦା/ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଥିଲା ବେଳେ ମୟୂରଭଂଜରେ ମଧ୍ୟ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି। କପ୍ତିପଦା ରେଞ୍ଜ ଶାରୀଶୁଆ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି କପ୍ତିପଦା ରେଞ୍ଜ ଅନ୍ତର୍ଗତ ଶାରୀଶୁଆ ସେକ୍ସନ ଜଙ୍ଗଲ ରାଇପାଲ ବିଟ୍ ଅଧିନ ବାରିକ ବାଘଧରାସାହିରୁ ଉଦ୍ଧାର ଦନ୍ତାର ବୟସ ୧୦ରୁ ୧୫ ବର୍ଷ ହେବ। ଆସନ୍ତାକାଲି ପୋଷ୍ଟମର୍ଟମ ହେଲା ପରେ ହାତୀର ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ଡିଏଓ ସନ୍ତୋଷ ଯୋଶୀ, ଏସିଏଫ ଡିକେ ବାରିକ, କପ୍ତିପଦା ଆଏଫଓ ଅଚ୍ୟୁତାନନ୍ଦ ଦାସ, ପ୍ରମୁଖ ତଦନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲାର ନୀଳଗିରି କୁଲଡିହା ଅଭୟାରଣ୍ୟ ଏକ ଛୁଆ ହାତୀ ମୃତ୍ୟୁ ହୋଇଥିବା ନେଇ ଆଜି ଜଣାପଡ଼ିଥିଲା। ଅଭୟାରଣ୍ୟର ପୁରୁଣାପାଣି ବିଟ୍ହାଉସ ଡ଼ାଙ୍ଗରପୋଖରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ୩ ବର୍ଷ ଛୁଆ ହାତୀଟିର ମୃତ୍ୟୁ ହୋଇଥିବା କୁଲଡ଼ିହା ରେଞ୍ଜର ଅନନ୍ତଜେନା ସୂଚନା ଦେଇଥିଲେ। ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ହାତୀ ମୃତ୍ୟୁ ଦେଖି ଏ ସମ୍ପର୍କରେ ଖବର ପାଇଥିଲେ।