କଟକ : ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଥିବା କଥା ମଙ୍ଗଳବାର ଦିନ ପ୍ରକାଶିତ ‘ଇଣ୍ଡିଆନ୍ ଜଷ୍ଟିସ୍ ରିପୋର୍ଟ ୨୦୨୨’ ତୃତୀୟ ସଂସ୍କରଣରୁ ଜଣାପଡ଼ିଛି।
ସେହିପରି, ଗତ ୫ରୁ ୧୦ ବର୍ଷ ମଧ୍ୟରେ ୨୫%, ୧୦ରୁ ୨୦ ବର୍ଷ ମଧ୍ୟରେ ୧୭% ଏବଂ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ୪% ମାମଲା ହାଇକୋର୍ଟରେ ଗଡ଼ି ଚାଲିଥିବା କଥା ମଧ୍ୟ ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
ଏହାଛଡ଼ା, ହାଇକୋର୍ଟରେ ୩୩% ବିଚାରପତି ଓ ୨୮% କର୍ମଚାରୀ ପଦବୀ ଖାଲିପଡ଼ିଛି, ଏବଂ ଅତିରିକ୍ତ ଅଦାଲତଗୁଡ଼ିକରେ ୨୦% ବିଚାପତି ପଦବୀ ଖାଲି ପଡ଼ିଛି ‘ଇଣ୍ଡିଆନ୍ ଜଷ୍ଟିସ୍ ରିପୋର୍ଟ ୨୦୨୨’ରେ ଉଲ୍ଲେଖ ଅଛି।
ଏହାଛଡ଼ା, ନ୍ୟାୟିକ ସହାୟତା କ୍ଷେତ୍ରରେ ଉପରୋକ୍ତ ବର୍ଷରେ ଓଡ଼ିଶାର ବଜେଟ୍ ୮୮% ରହିଛି।
ନ୍ୟାୟ ପ୍ରଦାନର ‘ଚାରି ସ୍ତମ୍ଭ’ ଯଥା:- ପୁଲିସ, ବିଚାରବ୍ୟବସ୍ଥା, କାରାଗାର ଏବଂ ନ୍ୟାୟିକ ସହାୟତାର ତଥ୍ୟାବଳି ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥାଏ। ଏହି ୪ଟି ସ୍ତମ୍ଭକୁ ବଜେଟ୍, ମାନବ ସମ୍ବଳ, କାର୍ଯ୍ୟର ପରିମାଣ, ବିବିଧତା, ଭିତ୍ତିଭୂମି ଅନୁସାରେ ବିଶ୍ଳେଷଣ କରାଯାଇଥାଏ।
ସେହିପରି ଓଡ଼ିଶା ପୁଲିସ ବିଭାଗରେ କନେଷ୍ଟବଳସ୍ତରରେ ୧୩%, ଅଫିସର୍ସ୍ତରରେ ୨୮% ପଦବୀ ଖାଲି ପଡ଼ିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।