Spread the love

ଭୁବନେଶ୍ବର : ତତଲା କଡେଇରେ ଶିଝୁଛି ସମଗ୍ର ରାଜ୍ୟ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆକାଶରୁ ବର୍ଷୁଛି ନିଆଁ । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ରାଜ୍ୟରେ ଏବେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ ।
ଏନେଇ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଅସୁସ୍ଥତା ଅନୁଭବ କରି ରୋଗୀ ହସ୍ପିଟାଲରେ ପହଞ୍ଚିଲେ ସେମାନଙ୍କ ପାଇଁ ଏସି ରୁମ୍‌ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ଔଷଧ ସହ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ପ୍ରତି ଜିଲ୍ଲାରେ କଲ୍‌ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାପାଳମାନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏଥିସହ ଆଗାମୀ ୪ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ଆକଳନ କରିଥିବାରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ପ୍ରଚୁର ପାଣି ପିଇବା ସହ ଖରା ସମୟରେ ବାହାରକୁ ନ ବାହାରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟାବଶ୍ୟକ ସ୍ଥଳରେ ଘରୁ ବାହାରକୁ ଗଲେ ଛତା ଧରି ଯିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ଓ ପୁରୀରେ ୩୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ ଓ ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *